ନୂଆଦିଲ୍ଲୀ: ବିହାରରେ ନୀତିଶଙ୍କ ମେଣ୍ଟ ପରିବର୍ତ୍ତନ ସହ ପୁଣି ଥରେ ଏନଡିଏ ଶାସନ ଆରମ୍ଭ ହୋଇଛି । 12 ତାରିଖରେ ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ତେବେ କ୍ଷମତା ପରିବର୍ତ୍ତନ ହେବା ପରେ ଆଜି ପ୍ରଥମ ଥର ସେ ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହେବା ସହ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି । ତେବେ ଗତ 5 ମାସ ପରେ ନୀତିଶ ଓ ମୋଦିଙ୍କ ସାକ୍ଷାତକାର ଓ ଆଲୋଚନା ହୋଇଛି । ଏହା ପୂର୍ବରୁ ଜି-20 ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବା ସମୟରେ ନୀତିଶ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହା ପରେ ନୀତିଶ ବିରୋଧୀ ‘ଇଣ୍ଡିଆ’ ଗଠନ କରି ବିଜେପିକୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଥିଲେ ।
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନୀତିଶ ବିଜେପି ପାର୍ଟି ମୁଖ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ପରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜେଡିୟୁ- ବିଜେପିର ସୁସମ୍ପର୍କର ବାଖ୍ୟା କରିଛନ୍ତି । ନୀତିଶ କହିଛନ୍ତି, 1995 ମସିହା ଠାରୁ ବିଜେପି ଓ ଜେଡିୟୁ ପରସ୍ପର ସହଯୋଗୀ ଦଳ ଭାବେ ରହିଆସିଛନ୍ତି । ହେଲେ ମଝିରେ କୌଣସି କାରଣରୁ ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଅଲଗା ହୋଇଥିଲେ । ଏବେ ସେ ପୁଣି ଏନଡିଏ ଫେରିଛନ୍ତି । ଏଥର ଆଉ ଏପଟ ସେପଟ ହେବେ ନାହିଁ । ବିଜେପି ସହ 2019 ପରି ଅନୁପାତରେ ଆସନ ବୁଝାମଣା ହେବ କି ପ୍ରଶ୍ନରେ ନୀତିଶ କହିଛନ୍ତି, ଏବେ ଆସନ ବୁଝାମଣା ଆଲୋଚନା ହେବାର ଆବଶ୍ୟକତା ନାହିଁ । ଆସନ ସମ୍ପର୍କରେ ସେମାନେ (ବିଜେପି) ଜାଣନ୍ତି ।