କୋଲକାତା:ନିର୍ବାଚନ ପୂର୍ବରୁ କ୍ୟାସ ଫର କ୍ବାରୀ ମାମଲାରେ ପୁଣି ସକ୍ରିୟ ହେଲା କେନ୍ଦ୍ରୀୟ ସଂସ୍ଥା । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବାସଭବନରେ ଚଡାଉ କରିଛି । କୋଲକାତାରେ ଥିବା ମହୁଆଙ୍କ ବାସଭବନରେ ଆଜି ସର୍ଚ୍ଚ ଜାରି ରଖିଛନ୍ତି ସିବିଆଇ ଅଧିକାରୀ । କର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ମହୁଆଙ୍କ ଦଳ ତୃଣମୂଳ କଂଗ୍ରେସ ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହିଛି । କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଟିଏମସି ଅଭିଯୋଗ କରିଥିବା ବେଳେ ଏହାକୁ ଭାରତୀୟ ଜନତା ପାର୍ଟି ଖଣ୍ଡନ କରିଛି । ଆଇନ ତାର କାମ କରିବ ବୋଲି କହିଛି ବିଜେପି ।
ଗତବର୍ଷ (2023) ଶେଷ ଭାଗରେ ମହୁଆ ଏହି ମାମଲାରେ ଛନ୍ଦି ହୋଇଥିଲେ । ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ମହଙ୍ଗା ପଡିଥିଲା । ପରେ ତାଙ୍କୁ ସଂସଦ ସଦାଚାର କମିଟିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ କମିଟିର ସୁପାରିଶ କ୍ରମେ ସଂସଦରେ ଭୋଟିଂ ମାଧ୍ୟମରେ ତାଙ୍କ ଲୋକସଭା ସଦସ୍ୟତା ମଧ୍ୟ ରଦ୍ଦ କରିଦିଆ ଯାଇଥିଲା । ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରି ସଂସଦରେ ପ୍ରାୟୋଜିତ ପ୍ରଶ୍ନ ପଚାରିବା ଓ ନିଜର ସଂସଦୀୟ ଲଗଇନ ଡିଟେଲ୍ସ ମଧ୍ୟ ଅନ୍ୟ କିଛି ସହଯୋଗୀଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା । ଲୋକସଭା ସଦାଚାର କମିଟି ମହୁଆ, ହୀରାନନ୍ଦାନୀ ଓ ସର୍ବୋଚ୍ଚକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଡାକି ଜେରା ମଧ୍ୟ କରିଥିଲା ।