ନୂଆଦିଲ୍ଲୀ:ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାପାର ବାଣିଜ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । କୃଷକ ମୋର୍ଚ୍ଚା ପକ୍ଷରୁ ଆଜି (ଶୁକ୍ରବାର) ୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବିଶେଷ କରି ଏହାର ପ୍ରଭାବ ଦିଲ୍ଲୀ-ପଞ୍ଜାବ ସୀମାରେ ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ରାସ୍ତାରେ ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଟ୍ରକ ଅଟକି ରହିଥିଲା । ଏଣୁ ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ବେପାର ମାନ୍ଦା ପଡ଼ିଥିଲା ବୋଲି ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି ଦିଲ୍ଲୀ ମ୍ୟାନୁଫାକ୍ଚର ଆସୋସିଏସନର ସଭାପତି ଡଃ ଅନିଲ ଗୁପ୍ତା ।
ଚାଷୀମାନେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟିଠୁ ଆରମ୍ଭ କରି ପ୍ରାୟ ୧୨ ଦଫା ଦାବି ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣାରେ ବସିଛନ୍ତି । କେନ୍ଦ୍ର ସେମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିନଥିବାରୁ ଏହି ଆନ୍ଦୋଳନ କରାଯାଇଛି । ଫେବୃଆରୀ ୧୬ ତାରିଖ ଦିନ 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦେଇଥିଲା କୃଷକ ମୋର୍ଚ୍ଚା । ଏନେଇ ଅନିଲ କହିଛନ୍ତି, " ଏହା ସତ କଥା ଯଦି ଆନ୍ତଃ ରାଜ୍ୟ ସୀମାଗୁଡ଼ିକୁ ବନ୍ଦ କରାଯିବ ତେବେ ସ୍ବାଭାବିକ ଭାବେ ଏହା ବେପାର ବାଣିଜ୍ୟ ଉପରେ ପ୍ରଭାବ ପକାଇବ । ଗତ ୪ଦିନ ଧରି ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିଛି । ଏଥିଲାଗି ବିଭିନ୍ନ ସାମଗ୍ରୀ ନେଇ ଅନ୍ୟ ରାଜ୍ୟଗୁଡ଼ିକୁ ଯାଉଥିବା ଟ୍ରକଗୁଡ଼ିକ ଅଟକି ରହିଥିବାରୁ କାରବାର ଉପରେ ପ୍ରଭାବ ପଡ଼ିଛି । "
ଏହା ବି ପଢନ୍ତୁ- କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ
ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଜମ୍ମୁରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେପଟେ ଦିଲ୍ଲୀ-ଗାଜିପୁର ସୀମାନ୍ତ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ ପ୍ରବୀଣ କୁମାର କହିଛନ୍ତି, "ଏହି ଆନ୍ଦୋଳନ ଯୋଗୁଁ ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହ ବେଶି ପ୍ରଭାବିତ ହୋଇଛି । ସୀମାନ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିଥିବାରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଫୁଲଗୁଡ଼ିକ ବିଳମ୍ବରେ ପହଞ୍ଚୁଛି ।" ସେହିପରି କୃଷି ଉତ୍ପାଦନ ମାର୍କେଟିଂ କମିଟିର ଜଣେ ସଦସ୍ୟ ମୁକେଶ ଢିଙ୍ଗରା କହିଛନ୍ତି, "ଚାଷୀ ଆନ୍ଦୋଳନ ଯୋଗୁଁ ୨୫-୩୦ ପ୍ରତିଶତ ବାଣିଜ୍ୟ କାରବାର ପ୍ରଭାବିତ ହୋଇଛି । ଏହି ଆନ୍ଦୋଳନ ବିଶେଷ କରି ଖାଦ୍ୟ ଓ କୃଷି ଉତ୍ପାଦ ସମ୍ବନ୍ଧୀୟ ବାଣିଜ୍ୟ ଉପରେ ଅଧିକ ପ୍ରଭାବ ପକାଇଛି ।"
ଏହା ବି ପଢନ୍ତୁ- ବାହାରି ପାରିଲାନି ନିଷ୍କର୍ସ, ପୁଣି 18ରେ କେନ୍ଦ୍ର ସହ ଆଲୋଚନା
ଏପରିକି କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ସମର୍ଥନ କରିବା ପୂର୍ବକ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ବନ୍ଦ କରିବାକୁ ଦେଶର ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଅରୁଣ ମୁଣ୍ଡା ଓ ଚାଷୀମାନଙ୍କ ମଧ୍ୟରେ ଚଣ୍ଡିଗଡ଼ରେ ଏକ ବୈଠକ ବସିଥିଲା । ହେଲେ ଏଥିରେ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ସକରାତ୍ମକ ଆଲୋଚନା ଥିଲା ବୋଲି ସରକାର କହିଥିଲେ । ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ପୁଣି ଏକ ବୈଠକ ଡକାଯାଇଥିବା ବେଳେ ଏଥିରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି । ଫେବୃଆରୀ ୮ ଓ ୧୨ ତାରିଖ ପରେ ଆଜି ଏହା ଦୁଇ ପକ୍ଷ ବିରୋଧରେ ତୃତୀୟ ବୈଠକ ବସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ