ଓଡିଶା

odisha

ETV Bharat / bharat

ଦିଲ୍‌ ଚାଲିଗଲା ଦରିଆ ପାରି: ଗୁଗୁଲ ଟ୍ରାନ୍ସଲେଟରୁ ସମ୍ପର୍କର ସେତୁ - BRAZILIAN WOMAN ROSINIDE SECERA

ପ୍ରେମ ଆଗରେ ହାର ମାନିଲା ବୟସର ପାର୍ଥକ୍ୟ । ବରକୁ ୩୧ ବର୍ଷ ହୋଇଥିବାବେଳେ କନିଆକୁ ୫୧ ବର୍ଷ । ବିବାହ ପାଇଁ ବ୍ରାଜିଲରୁ ଭାରତ ଉଡ଼ି ଆସିଲେ ବିଦେଶିନୀ ।

Indian Brazilian Couple Marriage
Indian Brazilian Couple Marriage (ETV Bharat)

By ETV Bharat Odisha Team

Published : Oct 30, 2024, 6:00 PM IST

Updated : Oct 30, 2024, 7:29 PM IST

ଭୋପାଳ: କହିବାକୁ ଗଲେ ପ୍ରେମ ତ ଅନ୍ଧ । ମନ ସହ ମନ ମିଶିଗଲେ ପ୍ରେମ ହୋଇଯାଏ । ପ୍ରେମ ପାଖରେ ନାଁ ଅଛି ଜାତି, ଧର୍ମ ନାଁ ବୟସର ପାର୍ଥକ୍ୟ । ଏବେ ଏମିତି ଏକ ଦରିଆ ପାର ପ୍ରେମ ଘଟଣା ସାମ୍ନାକୁ ଆସିଛି । ପ୍ରେମିକା ବ୍ରାଜିଲର ଆଉ ପ୍ରେମିକ ଭାରତର । ସେମାନଙ୍କ ପ୍ରେମ ଆଗରେ ହାର ମାନିଛି ବୟସ । ଏମିତି ଏକ ଲଭ ଷ୍ଟୋରୀ ଯେଉଁଠି ବରଠାରୁ କନିଆ ୨୦ ବର୍ଷ ବଡ଼ । କନିଆକୁ ୫୧ ବର୍ଷ ହୋଇଥିବାବେଳେ ବରକୁ ମାତ୍ର ୩୧ । ଉଭୟଙ୍କୁ ପ୍ରେମ ତ ହେଇଗଲା । ହେଲେ ପ୍ରେମ ମଝିରେ ପାଚେରୀ ସାଜିଥିଲା ଭାଷା । ଆଉ ଗୁଗୁଲ ଟ୍ରେନ୍ସଲେଟର ସାହାରା ନେଇଥିଲେ ପ୍ରେମୀଯୁଗଳ । ଏବେ ନିଜ ପ୍ରେମ ପାଇଁ ସୁଦୂର ବ୍ରାଜିଲରୁ ଭାରତ ଚାଲି ଆସିଛନ୍ତି ୫୧ ବର୍ଷିୟା ବିଦେଶିନୀ ।

ପ୍ରଥମ ଦେଖାରୁ ମନରେ ଫୁଟିଲା ଇସ୍କର ଫୁଲ:

ମଧ୍ୟପ୍ରଦେଶର ଭୀଣ୍ଡର ବାସିନ୍ଦା ୩୧ ବର୍ଷିୟ ପୱନ ଗୋୟଲ ଗୁଜୁରାଟର କଚ୍ଛରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି । ୯ ମାସ ପୂର୍ବରୁ ଭାରତ ପରିଦର୍ଶନ କରିବାକୁ ଆସିଥିବା ବ୍ରାଜିଲର ୫୧ ବର୍ଷିୟା ରୋଜେନାଇଡ ସେକିରାଙ୍କୁ କଚ୍ଛରେ ଭେଟିଥିଲେ ପୱନ । ପ୍ରଥମ ଦେଖାରୁ ହିଁ ପୱନଙ୍କ ମନରେ ରୋଜେନାଇଡଙ୍କ ପାଇଁ ଇସ୍କର ଫୁଲ ଫୁଟିଥିଲା । ରୋଜେନାଇଡଙ୍କୁ ମନ ଦେଇ ବସିଥିଲେ ପୱନ । ସେପଟେ ପୱନଙ୍କୁ ମଧ୍ୟ ମନେ ମନେ ଭଲ ପାଇବସିଥିଲେ ରୋଜେନାଇଡ । ହେଲେ ଏହାରି ଭିତରେ ରୋଜେନାଇଡଙ୍କ ଭିସାର ଅବଧି ସରିଗଲା । ଆଉ ସେ ବ୍ରାଜିଲ ଚାଲିଗଲେ । ଏନେଇ ପୱନ ଗୋୟଲ କହିଛନ୍ତି, "ରୋଜେନାଇଡ ବ୍ରାଜିଲକୁ ଫେରିବା ପରେ ମୁଁ ତାଙ୍କ ସହ ଫେସବୁକରେ ଯୋଗାଯୋଗ କରିଥିଲି । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିବା ସହ ପ୍ରେମ ସମ୍ପର୍କ ଆହୁରି ନିବିଡ଼ ହେଲା । ଆମେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲୁ । ଧୀରେ ଧୀରେ ପ୍ରେମ ସମ୍ପର୍କ ବିବାହର ରୂପ ନେଲା।"

ଗୁଗୁଲ୍ ଟ୍ରାନ୍ସଲେଟ ସମସ୍ୟାର କଲା ସମାଧାନ:

ଭୀଣ୍ଡ ନିକଟ ନୟାପୁର ଗାଁର ବାସିନ୍ଦା ପୱାନ ଜଣେ ହିନ୍ଦୀଭାଷୀ ହୋଇଥିବାବେଳେ ରୋଜେନାଇଡଙ୍କ ପାଇଁ ଭାଷା ଏକ ବଡ଼ ସମସ୍ୟା ଥିଲା । କାରଣ ରୋଜେନାଇଡ ପର୍ତ୍ତୁଗୀଜ ଭାଷାରେ କଥା କହୁଥିଲେ । ଏଭଳି ପରିସ୍ଥିତିରେ ଉଭୟ ଗୁଗୁଲ୍ ଟ୍ରାନ୍ସଲେଟର ସାହାଯ୍ୟ ନେଇଥିଲେ । ଧୀରେ ଧୀରେ ଦୁହେଁ ଦୁହିଁଙ୍କ ଭାଷା ବୁଝିବାକୁ ଚେଷ୍ଟା କଲେ । ଏହାପରେ ଦୁହେଁ ଫୋନରେ କଥା ହେବା ଆରମ୍ଭ କରିଥିଲେ । ପରେ ପୱନ ବ୍ରାଜିଲ ଭାଷା ଶିଖିଥିଲେ । ଏବେ ପୱନ ଏବଂ ରୋସେନାଇଡ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏଥିପାଇଁ ରୋସେନାଇଡ୍ ଅକ୍ଟୋବର ୮ରେ ଭାରତ ଆସିଥିଲେ । ଏବେ ସେ ପୱନ ଏବଂ ତାଙ୍କ ପରିବାର ସହିତ ରହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଖି ଦେଖିନି ସାଥୀ, ପ୍ରେମ ଗଣିତ ବୁଝିଛି ହୃଦୟ: ଚର୍ଚ୍ଚାରେ ଦୃଷ୍ଟିବାଧିତ ଦମ୍ପତିଙ୍କ ପ୍ରେମ କାହାଣୀ

ଏହା ମଧ୍ୟ ପଢ଼ନ୍ତୁ...ନିଜାମ ଗଡରେ ରେବନ୍ତ ରାଜ୍ ! ଫିଲ୍ମ ଷ୍ଟୋରୀଠୁ କମ୍‌ ନୁହେଁ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ଦେବୀଙ୍କୁ ମିଳିଲା ଦେବତା ପରି ସ୍ବାମୀ: ଫେସବୁକରୁ ପ୍ରେମ, କୋର୍ଟରେ ସାତ ଜନ୍ମର ସାଥି ହେଲେ ଲଭବାର୍ଡ - SAMBALPUR HANDICAP MARRIED

ସ୍ୱତନ୍ତ୍ର ବିବାହ ପାଇଁ ଅନୁମତି ଅପେକ୍ଷାରେ ପ୍ରେମୀ ଯୁଗଳ:

ଉଭୟ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଦୁହିଁଙ୍କର ଅଲଗା ଦେଶ ଏବଂ ଅଲଗା ଧର୍ମ ହୋଇଥିବାରୁ କିଛି ସମସ୍ୟା ରହିଛି । ତେଣୁ ଏକ ସ୍ୱତନ୍ତ୍ର ବିବାହ ପାଇଁ ଉଭୟେ ଭୀଣ୍ଡର ଅତିରିକ୍ତ କଲେକ୍ଟର କୋର୍ଟରେ ବିବାହ ପାଇଁ ଆବେଦନ କରିଛନ୍ତି । ଏହି ବିବାହ ବିଷୟରେ ସ୍ପେଶାଲ ଜୁଡିସିଆଲ ଅଫିସର ତଥା ଭିଣ୍ଡ ଅତିରିକ୍ତ କଲେକ୍ଟର ଏଲ.କେ ପାଣ୍ଡେ କହିଛନ୍ତି, "ଏହି ପ୍ରେମୀ ଯୁଗଳଙ୍କ ଆବେଦନ ସ୍ବତନ୍ତ୍ର ବିବାହ ଅଧୀନରେ ଆସୁଛି, ଯାହାକୁ ବିଚାର କରାଯାଉଛି । ଏହି ବିଷୟରେ ଭାରତୀୟ ଏବଂ ବ୍ରାଜିଲର ଦୂତାବାସଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ଯଦି କୌଣସି ସମସ୍ୟା କିମ୍ବା ଆପତ୍ତି ନହୁଏ ତେବେ ଏହାକୁ ଆଗକୁ ବିଚାର କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2024, 7:29 PM IST

ABOUT THE AUTHOR

...view details