ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଲୁଚିଛି ବିଜେପିର ଦକ୍ଷିଣ ଦଖଲ ଅଭିଯାନ ! - ମୋଦି ଯୋଗୀ ଯୋଡି ହିଟ

BJP Eyes South Seats Through Ram Temple Inauguration: ରାମ ମନ୍ଦିର ଲୋକାର୍ପଣ ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚର୍ଚ୍ଚା। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଦ୍ବିତୀୟ ରାଜନେତା ଭାବେ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଖାଲି ଉପସ୍ଥିତ ନଥିଲେ ସଭା ମଞ୍ଚରେ ସମ୍ବୋଧିତ କରିବାକୁ ମଧ୍ୟ ସୁଯୋଗ ପାଇଲେ । ଏପରି ସ୍ଥଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିବା ଓ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅନେକ ରାଜନୈତିକ ସନ୍ଦେଶ ଆସୁଛି । ଅଧିକ ପଢନ୍ତୁ

ram temple inauguration ceremony
ram temple inauguration ceremony

By ETV Bharat Odisha Team

Published : Jan 24, 2024, 9:07 PM IST

ଅଯୋଧ୍ୟା(ୟୁପି):ଶେଷ ହୋଇଛି ପ୍ରତିକ୍ଷା । ସାକାର ହୋଇଛି ସ୍ବପ୍ନ । ଲମ୍ବା ସଂଘର୍ଷ ହୋଇଛି ସଫଳ। ସାର୍ଥକ ହୋଇଛି କରସେବକଙ୍କ ବଳିଦାନ। ଟେଣ୍ଟ ଘରୁ ଭବ୍ୟ ଏବଂ ଦିବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି ଅଯୋଧ୍ୟା ରାଜକୁମାର। ସୁସଜ୍ଜିତ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କ ଅଧିଷ୍ଠିତ ଦେଖି ଆନନ୍ଦରଅଶ୍ରୁରେ ଭିଜୁଛନ୍ତି କୋଟି କୋଟି ଭାରତବାସୀ। ଜାନୁୟାରୀ 22 (ସୋମବାର) ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି । ହଜାର ହଜାର ସାଧୁସନ୍ଥ ତପସ୍ବୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ସମ୍ପନ୍ନ କରିଛନ୍ତି ପ୍ରାଣ ପ୍ରତିଷ୍ଠା। ରାମ ମନ୍ଦିର ଲୋକାର୍ପଣ ସହ ଶେଷ ହୋଇଛି ବିଜେପିର ପ୍ରତିଜ୍ଞା । କାର୍ଯ୍ୟକାରୀ ହୋଇଛି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି । ଯାହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପଡିବ ବୋଲି ରାଜନୀତି ପଣ୍ଡିତ ଆକଳନ କରୁଛନ୍ତି ।

ରାଜନୀତି ସମୀକ୍ଷକଙ୍କ ଅନୁମାନ, ରାମ ମନ୍ଦିର ପ୍ରସଙ୍ଗକୁ ନେଇ ବିଜେପି ଆଗାମୀ ନିର୍ବାଚନରେ ଭୋଟ ମାଗିପାରେ। ଯଦି ଏହା ହୁଏ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ଭାରତରେ ନିର୍ବାଚନର ହାରଜିତ ଲଢେଇରେ ରାଜନୈତିକ ଦଳ ଏଭଳି ପ୍ରସଙ୍ଗକୁ ମୁଦ୍ଦା କରିବା ନୂଆ ନୁହେଁ। 1984 ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପରେ କଂଗ୍ରେସ ତାଙ୍କର ଅସ୍ଥି କଳସକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବାକୁ ପଛେଇନଥିଲା। ଏହାର ମଧ୍ୟ ବଡ ଫାଇଦା ପାଇଥିଲା ଦଳ । ନିର୍ବାଚନ ଏକପାଖିଆ ହେବା ସହ ଦେଶର ଅନେକ ପ୍ରତିଷ୍ଠିତ ରାଜନେତା ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲେ । ସେତେବେଳେ ବିଜେପିର ଦିଗଜନେତା ଥିବା ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀଙ୍କ ଭଳି ନେତା ମଧ୍ୟ ପରାଜିତ ହୋଇଥିଲେ । ଭାରତରେ ଜନତାଙ୍କ ଭାବାବେଗ ସହ ଜଡିତ ବହୁ ପ୍ରସଙ୍ଗ ଯଦି ସଠିକ କାର୍ଯ୍ୟକାରୀ ହୁଏ ଦେଶର କ୍ଷମତା ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ। ଯାହା 19984 ରେ ହୋଇସାରିଛି । ଠିକ ସେହିଭଳି ରାମ ମନ୍ଦିର ପ୍ରସଙ୍ଗ ଶତାବ୍ଦୀ ଶତାଦ୍ଦୀର ପ୍ରସଙ୍ଗ । କୋଟି କୋଟି ଲୋକଙ୍କ ଆସ୍ଥା, ବିଶ୍ବାସ, ଭକ୍ତି ଏଥିରେ ଜଡିତ । 5 ଶହ ବର୍ଷର ପ୍ରତିକ୍ଷା ଲମ୍ବା ସଂଘର୍ଷ ପରେ ଯଦି ସ୍ବପ୍ନ ସାକାର ହୋଇଛି ସ୍ବାଭାବିକ ଭାବେ ଜନମତକୁ ଏହା ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାମ ମନ୍ଦିର ଲୋକାର୍ପଣକୁ ବିଜେପି ଏକ ଉତ୍ସବରେ ପରିଣତ କରିଦେଇଛି ସାରା ଦେଶରେ । ଅଯୋଧ୍ୟା ସମାରୋହ ପାଇଁ ଏବେ ଦେଶର ଗାଁ ଗାଁରେ ଉତ୍ସବର ପରିବେଶ । ଜାତି, ଭାଷା, ରାଜ୍ୟରୁ ଏହା ପାରିତ ହୋଇ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ଏଥିରୁ ରାଜନୈତିକ ଫାଇଦା ନେବାକୁ ନିଶ୍ଚିତ ପ୍ରୟାସ କରିପାରେ । ଏହି ସବୁ ଭିତରେ କିନ୍ତୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ସେହି ଦିନ ଘଟିଥିବା କିଛି ଘଟଣାକୁ ନେଇ ଏବେ ଏକାଧିକ ରାଜନୈତିକ ସନ୍ଦେଶ ଆସୁଛି । ଯେଉଁଥିରେ ବିଜେପିର ଭବିଷ୍ୟତ ସହ ଦେଶର ଆଗାମୀ ଯାତ୍ରା ମଧ୍ୟ ଜଡିତ ରହିଛି । ରାମ ମନ୍ଦିର ସହ ଜଡିତ ଥିବା କିଛି ରାଜନୈତିକ ସନ୍ଦେଶ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟରୁ...

ଅଧିକ ପଢନ୍ତୁ- ପର୍ଯ୍ୟାୟକ୍ରମେ ରାମଲାଲାଙ୍କୁ ଦର୍ଶନ କରିବେ ବିଜେପି ଶାସିତ ରାଜ୍ୟ ମନ୍ତ୍ରୀମଣ୍ଡଳ

ରାମ ମନ୍ଦିରରୁ ଦକ୍ଷିଣ ଦ୍ବାର ସୁଗମ ଲକ୍ଷ୍ୟରେ ବିଜେପି: ଭାରତୀୟ ଜନତା ପାର୍ଟି ହିନ୍ଦୀ ହାର୍ଟ ଲ୍ୟାଣ୍ଡ ବ୍ୟତୀତ ଦେଶର ଅନ୍ୟ ପ୍ରାନ୍ତରେ ନିଜର ଉପସ୍ଥିତିକୁ ସୁଦୃଢ କରିସାରିଛି । କିନ୍ତୁ ତମାମ ପ୍ରୟାସ ସତ୍ବେ ଦଳ ଦକ୍ଷିଣ ଦୁର୍ଗକୁ ଭେଦିବାରେ ବିଫଳ ହୋଇଛି । ଦକ୍ଷିଣ ଦଖଲ ପାଇଁ କର୍ଣ୍ଣାଟକ ବିଜେପି ପାଇଁ ଥିଲା ସୁବର୍ଣ୍ଣ ସୁଯୋଗ। ହେଲେ ଗତ ନିର୍ବାଚନରେ ପରାଜୟ ସହିତ ଦକ୍ଷିଣରେ ବିଜେପି ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ଏବେ ସଂଘର୍ଷ କରୁଛି । ତେଲେଙ୍ଗାନାର ମଧ୍ୟ ଦଳ ଆଶା ଅନୁସାରେ ସଫଳତା ପାଇନାହିଁ। ମୋଦି ଶାହଙ୍କ ସମ୍ମୁଖରେ ଏବେ ବଡ ଆହ୍ବାନ ଦଳକୁ ଦକ୍ଷିଣରେ ଦକ୍ଷ କରାଇବା । ତମାମ ପ୍ରୟାସ ବିଫଳ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରସଙ୍ଗରୁ ଦକ୍ଷିଣରେ ଦଳର ଅଭିବୃଦ୍ଧି ପାଇଁ ଗୋଟିଚାଳନ କରିଛନ୍ତି । ଆମର ଏହି ଯୁକ୍ତିରେ ଅନେକ ହୁଏତ ସହମତ ହୋଇନପାରନ୍ତି । କିନ୍ତୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଜଡିତ ଏକାଧିକ କାର୍ଯ୍ୟକ୍ରମକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ଯେ ବିଜେପି ଦକ୍ଷିଣ ଦୁର୍ଗକୁ ସାଧିବା ପାଇଁ ରାମ ମନ୍ଦିର ଉତ୍ସବକୁ ବ୍ୟବହାର କରିଛି । କାରଣ ରାମ ମନ୍ଦିର ନିର୍ମାଣ ଶୈଳୀ, ମୂର୍ତ୍ତୀର ରୂପରେଖ, ଗର୍ଭଗୃହ, ରାମଲାଲାଙ୍କ ମୂର୍ତ୍ତୀ ପାଇଁ ବ୍ୟବହାର ହୋଇଥିବା ଶିଳା, ରାମଲାଲାଙ୍କ ରଙ୍ଗ, ରୂପ ଓ ମୂର୍ତ୍ତୀକାର ସବୁଥିରେ ଦକ୍ଷିଣ ଭାରତର ଛାପ ରହିଛି । ଅଥବା ଦକ୍ଷିଣ ଭାରତର ସଂସ୍କୃତି ଜଡିତ ରହିଛି । ଏହା ବ୍ୟତୀତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ରାମ ମନ୍ଦିର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବେ ଦକ୍ଷିଣ ଭାରତ ବହୁ ପୁରାତନ ଓ ପ୍ରତିଷ୍ଠିତ ମନ୍ଦିର ମଠ ଯାଇ ଦର୍ଶନ ପୂଜା କରିଛନ୍ତି ତାହା ଦକ୍ଷିଣ ଭାରତୀୟ ଲୋକଙ୍କୁ ପ୍ରଭାବିତ ଆଗାମୀ ଦିନରେ କରିପାରେ । ତ୍ରେତୟା ଯୁଗରେ ଭଗବାନ ରାମଲାଲା ବନବାସ ବେଳେ ଯେଉଁ ଯେଉଁ ସ୍ଥାନ ଦେଇଥ ଯାଇଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ସେହି ସ୍ଥାନକୁ ଯାଇ ପୂଜାର୍ଚନା କରିଛନ୍ତି । ସାଧାଣତଃ ଦକ୍ଷିଣ ଭାରତୀୟ ଲୋକ ମନ୍ଦିର ମଠ ଓ ସଂସ୍କୃତିକୁ ନେଇ ବେଶ ସମୃଦ୍ଧଶାଳୀ । ଦକ୍ଷିଣ ଭାରତୀୟ ଲୋକଙ୍କ ଭାବନାକୁ ବୁଝି ମୋଦି ସମାନ ପନ୍ଥା ଆପଣାଇଛନ୍ତି । ଖାଲି ଏତିକି ନୁହେଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ତାମିଲ ସଂଗମମ ଆୟୋଜିତ କରିଆସୁଛନ୍ତି। ଏଥିରେ ବିଜେପି ଦକ୍ଷିଣ ଭାରତୀୟ ଲୋକଙ୍କ ସନ୍ଦେଶ ଦେବାକୁ ପ୍ରୟାସ କରିଛି ଯେ ବିଜେପି ଖାଲି ଉତ୍ତର ଭାରତୀୟ ଦଳ ନୁହେଁ । ବିଜେପି ପାଇଁ ପୁରା ଭାରତ ସମାନ । ଆଉ ଧାର୍ମିକ ପ୍ରସଙ୍ଗରେ ସବୁବେଳେ ଦକ୍ଷିଣ ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଇ ଆସିଛି । ବିଜେପିର ଏହି ରଣନୀତି ଆଗାମୀ ନିର୍ବାଚନରେ ପ୍ରତିଫଳନ ହୋଇପାରେ।

ବିଜେପିରେ ବଢିବ ଯୋଗୀଙ୍କ ଗୁରୁତ୍ବ: ଅନ୍ୟ ଏକ ପ୍ରସଙ୍ଗ ହେଉଛି ରାମ ମନ୍ଦିର ଲୋକାର୍ପଣ ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଦ୍ବିତୀୟ ରାଜନେତା ଭାବେ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଖାଲି ଉପସ୍ଥିତ ନଥିଲେ ସଭା ମଞ୍ଚରେ ସମ୍ବୋଧିତ କରିବାକୁ ମଧ୍ୟ ସୁଯୋଗ ପାଇଲେ । ରାମ ମନ୍ଦିର ଆନ୍ଦୋଳରେ ବିଜେପି ଓ ସଂଘ ପରିବାରର ଅନେକ ପ୍ରଭାବଶାଳୀ ନେତା ଜଡିତ ଥିଲେ । ହେଲେ ମନ୍ଦିର ପ୍ରତିଷ୍ଠା ବେଳେ ଗର୍ଭଗୃହରେ ଉପସ୍ଥିତ ନଥିଲେ କି ପ୍ରାୟ ଅଯୋଧ୍ୟା ବି ଆସିନଥିଲେ । ଏପରିକି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବରିଷ୍ଠ ସଦସ୍ୟ ଅମିତ ଶାହ, ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଭଳି ନେତା ଅଯୋଧ୍ୟା ମଧ୍ୟ ଯାଇନଥିଲେ । ହେଲେ ଏପରି ସ୍ଥଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିବା ଓ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅନେକ ରାଜନୈତିକ ସନ୍ଦେଶ ଆସୁଛି । ଅନେକ ରଥୀ ମହାରଥୀ ରାମ ଜନ୍ମଭୂମି ଆନ୍ଦୋଳରେ ସାମିଲ ଥିଲେ । ବିଜେପିର ବହୁ ବରିଷ୍ଠ ରାଜନେତା ମଧ୍ୟ ଥିଲେ। ଅଥଚ ପ୍ରତିଷ୍ଠା ଉତ୍ସବରେ ଯୋଗୀଙ୍କୁ ଯେଭଳି ଗୁରୁତ୍ବ ଦିଆଗଲା ଏଥିରୁ ଅନୁମାନ କରାଯାଇପାରେ ଆରଏସଏସ ଭବିଷ୍ୟତ ରଣନୀତି ପାଇଁ କଣ ଅଙ୍କ କଷୁଛି। ଏହା ମଧ୍ୟ ସ୍ପଷ୍ଟ ଯେ ଆଗାମୀ ଦିନରେ ବିଜେପିରେ ଯୋଗୀଙ୍କ ଗୁରୁତ୍ବ ଆହୁରି ବଢିପାରେ ।

ଅଧିକ ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ପରେ ସନ୍ଧ୍ୟା ଦର୍ଶନ ସମୟସୀମା ବୃଦ୍ଧି, ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ

ନୂଆ ରେକର୍ଡ ଯୋଜନାରେ ବିଜେପି: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଶବ୍ୟାପୀ ପହଞ୍ଚାଇ ବିଜେପି ବଡ ଧରଣର ପ୍ରଚାର କରିଛି । ଏବେ ସାରା ଦେଶରେ ରାମ ମନ୍ଦିର ଚର୍ଚ୍ଚା । କୋଟି କୋଟି ହିନ୍ଦୁ ଏବେ ବିଜେପି ପ୍ରତି ସମର୍ଥନ ଆହୁରି ବ୍ୟାପକ କରିବେ। ଏଥିରୁ ବିଜେପି ମଧ୍ୟ ରାଜନୈତିକ ଲାଭ ଉଠାଇବାକୁ ପ୍ରୟାସ କରିବ ନିଶ୍ଚିତ । ଚର୍ଚ୍ଚା ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ରାମ ମନ୍ଦିର ନିର୍ମାଣ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ନିର୍ବାଚନରେ ବଡ ପ୍ରସଙ୍ଗ କରିବ । ଫଳରେ କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ ଏହି ପ୍ରସଙ୍ଗ ଯଦି ସଠିକ କାମ ଦିଏ ତେବେ ସାରା ଦେଶରେ ବିଜେପି ନୂଆ ଇତିହାସ ସୃଷ୍ଟି କରିପାରେ । କାରଣ ବିଜେପି 2019 ମସିହାରୁ ‘ଅବକୀ ବାର 400 ପାର’ ନାରା ଦେଇ ଆସୁଛି । ଏବେ ବିଜେପି ବ୍ୟଗ୍ର ଏହି ନାରାକୁ ସଫଳ କରିବା ପାଇଁ । କାରଣ 1984ରେ ଇନ୍ଦିରାଙ୍କ ଦେହାନ୍ତ ପରେ କଂଗ୍ରେସ ଯେଉଁଭଳି ରାଜନୈତିକ ଫାଇଦା ନେଇଥିଲା, ଠିକ ସମାନ ଧରଣରେ ବିଜେପି ରାମ ମନ୍ଦିର ପ୍ରତିଷ୍ଠାକୁ ପ୍ରସଙ୍ଗ କରି ନିଜ ମିଶନ 400 ପାର କରିବା ପାଇଁ ରଣନୀତି କରୁଥାଇପାରେ । ଏଥିରୁ ସ୍ପଷ୍ଟ ଯେ ଆଗାମୀ ନିର୍ବାଚନରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆୟୁଧ କରି ବିଜେପି ନୂଆ ରେକର୍ଡ ଅପେକ୍ଷାରେ ।

ହିନ୍ଦୁଙ୍କ ମଧ୍ୟରେ ଏକତା: ବିଜେପି ହିନ୍ଦୁତ୍ବକୁ ବ୍ରାହ୍ମଣ ବର୍ଗରେ ସୀମିକ ନରଖି ଓବିସି ପର୍ଯ୍ୟନ୍ତ ଟାଣିଲା । ଜଣେ ବଣିକ ଓ ଜଣେ ବ୍ରାହ୍ମଣଙ୍କ ଠାରୁ ଆରମ୍ଭ ହୋଇଥିବା ବିଜେପି ପଛୁଆ ବର୍ଗର ଲୋକଙ୍କ ପାର୍ଟିରେ ପରିଣତ କରିପାରିଛି । ଦଳ ଏବେ ଖାଲି ବ୍ରାହ୍ମଣ ବର୍ଗରେ ସୀମିତ ନାହିଁ । ଦଳ ଏବେ ପଛୁଆ ବର୍ଗଙ୍କ ପାର୍ଟିରେ ପରିଣତ ହୋଇଛି । ଏବେ ରାମ ମନ୍ଦିର ସମାରୋହରେ ଦଳ ଦଳିତଙ୍କୁ ସାମିଲ କରି ନୂଆ ରଣନୀତି ପ୍ରୟୋଗ ମଧ୍ୟ କରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦଳିତଙ୍କୁ ଦଳ ବେଶ ଗୁରୁତ୍ବ ଦେଇଛି । କାରଣ ଦଳିତ ବର୍ଗରୁ ଆସୁଥିବା କାମେଶ୍ବର ଚୌପାଳ ମୁଖ୍ୟ ପୂଜା ଓ ପ୍ରାଣ ପ୍ରତିଷ୍ଠା ବେଳେ ଗର୍ଭ ଗୃହରେ ଉପସ୍ଥିତ ଥିଲେ । ଖାଲି ଏତିକି ନୁହେଁ... ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ 15 ଯୋଡି ଯଜମାନଙ୍କ ମଧ୍ୟରେ ଦୁଇ ଯୋଡି ଦଳିତ ବର୍ଗ ତଥା କାଶୀର ଡୋମରାଜା ଓ ଏକାଧିକ ପଛୁଆବର୍ଗରୁ ସାମିଲ ଥିଲେ । ଏହା ବ୍ୟତୀତ ରାମଲାଲାଙ୍କ ଦୈନନ୍ଦିନ ସେବା ପୂଜା କରିବା ପାଇଁ ନିଯୁକ୍ତି ହୋଇଥିବା ପୂଜାରୀଙ୍କ ମଧ୍ୟରେ ମଧ୍ୟ ଦୁଇ ଜଣ ଦଳିତ ବର୍ଗରୁ ଆସୁଛନ୍ତି। ଏହାଦ୍ବାରା ବିଜେପି ସ୍ପଷ୍ଟ କରିଛି ଯେ ବିଜେପି ଖାଲି ବ୍ରାହ୍ମଣ କି ବଣିକଙ୍କ ଦଳ ନୁହେଁ । ହିନ୍ଦୁ ଧର୍ମରେ ସମସ୍ତେ ସମାନ । ବିଜେପିର ଏହି ରଣନୀତି ଦ୍ବାରା ହିନ୍ଦୁଙ୍କ ମଧ୍ୟ ଏକତା ସମୃଦ୍ଧ ହେବ । ଯାହା ବିଜେପିକୁ ଫାଇଦା ମିଳିବ ।

ହିନ୍ଦୁ ରାଷ୍ଟ୍ର ପଥେ ଯାଉଛି କି ବିଜେପି ? ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଅଧିକାଂଶ ସରକାରୀ କାର୍ଯ୍ୟକ୍ରମରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ହିନ୍ଦୁ ଧର୍ମ ଅନୁସାରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । କିନ୍ତୁ ଦେଶରେ କୌଣସି ସରକାର କିମ୍ବା ସରକାରର ମୁଖ୍ୟ ସିଧା ସଳଖ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ପ୍ରତ୍ୟେକ୍ଷ ଭାବେ ସାମିଲ ହୋଇନଥାନ୍ତି । କିନ୍ତୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି 11 ଦିନର ବ୍ରତ ରଖିବା ସହ ମୁଖ୍ୟ କର୍ତ୍ତା ଦାୟିତ୍ବ ତୁଳାଇଛନ୍ତି । ଏହାସହିତ ୟୁପି ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ୍ଷ ଭାବେ ସମସ୍ତ କାର୍ଯ୍ୟକ୍ରମର ନିଷ୍ପତି ଓ କାର୍ଯ୍ୟକାରୀ କରିଛନ୍ତି । ଫଳରେ ବିଜେପି ହିନ୍ଦୁ ରାଷ୍ଟ୍ର ପଥେ ଅଗ୍ରସର ହେଉଛି କି ମଧ୍ୟ ଚର୍ଚ୍ଚା ହେଉଛି । ମୋଦି ଯୋଗୀଙ୍କ ଏହି ରଣନୀତି ଆଗାମୀ ବହୁ ଦଶନ୍ଧୀ ଯାଏଁ ଦେଶର ଓ ବିଜେପିର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details