ଜୟପୁର:କୋଟାରେ ଲାଗୁନି ମୃତ୍ୟୁର ବ୍ରେକ । ଗୋଟିଏ ପରେ ଯାଉଛି ଗୋଟିଏ ଜୀବନ । ରାଜସ୍ଥାନର କୋଟାରେ ପୁଣିଥରେ ଜଣେ ଛାତ୍ର ଜୀବନ ହାରିଛନ୍ତି । ଇଞ୍ଜିନିୟର ପାଇଁ କୋଚିଂ ନେଉଥିବା ବେଳେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜେଇଇ ପାସ ନକରିପାରିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ବିହାରର ଭାଗଲପୁରରୁ କୋଟା ଆସି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ତେବେ ସେ ପିଜି ରୁମରେ ଏକ ସୁଇସାଇଡ ନୋଟ୍ ଲେଖି ଜୀବନ ହାରିଛନ୍ତି । ବର୍ତ୍ତମାନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପରିବାର ଲୋକଙ୍କୁ ସୂଚନା ଦେଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।
ଏନେଇ ବିଜ୍ଞାନ ନଗର ଥାନା ଅଧିକାରୀ ସତୀଶ ଚନ୍ଦ୍ର ସିଂଙ୍କର କହିବା ଅନୁସାରେ, "ଛାତ୍ର ଜଣକ ବିହାର ଭାଗଲପୁର ଜିଲ୍ଲାର ବାସିନ୍ଦା । ବୟସ ମାତ୍ର 16 ବର୍ଷ । ସେ ବିଜ୍ଞାନ ନଗରର ତିରୁପତି ହୋଟେଲ ନିକଟସ୍ଥ ଏକ ପିଜିରେ ରହୁଥିଲେ । ମାତ୍ର 15 ଦିନ ହେବ ସେ ଆସିଥିଲେ । ଏହା ପୂର୍ବରୁ ସେ ଅନ୍ୟ ଏକ ପିଜିରେ ରହୁଥିଲେ । ଏଠାରେ ରହି ଜେଇଇ ମେନ୍ ଏବଂ ଆଡଭାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତେବେ ପିଜି ଅପରେଟର ଜଣକ ଏହି ଘଟଣା ନେଇ ସୂଚନା ଦେବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛୁ।"