ବେଙ୍ଗାଲୁରୁ:ଆମାଜନ ପ୍ୟାକେଟରୁ ବାହାରିଲା ବିଷଧର ସାପ । ବେଙ୍ଗାଲୁରୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଆଜି (ବୁଧବାର) ବେଙ୍ଗାଲୁରୁରେ ପାର୍ସଲ କୋଲୁ ଖୋଲୁ ସେଥିରେ ସାପ ଥିବା ଦେଖିବାକୁ ପାଇଛନ୍ତି ବେଙ୍ଗାଲୁରୁର ଏକ ଦମ୍ପତି । ଏହା ଦେଖିବା ପରେ ସେମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଭୟଭୀତ ମଧ୍ୟ ହୋଇଥିବା କହିଛନ୍ତି । ଏହା ଏକ ନାଗ ସାପ ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ହେବ ବାରମ୍ବାର ଏଭଳି ଖବର ସାମନାକୁ ଆସୁଛି । କେତେବେଳେ ଆଇସକ୍ରିମରୁ ମଣିଷ ଆଙ୍ଗୁଠି ବାହାରୁଛି ତ ଆଉ କେତେବେଳେ ବିଛା ବାହାରୁଥିବା ଖବର ଆସୁଛି । ସେହିପରି ଗୁଜୁରାଟରୁ ଆସିଥିବା ଏକ ଅଭିଯୋଗ ଅନୁସାରେ, ଚିପ୍ସ ପ୍ୟାକେଟରୁ ବାହାରିଛି ମଲା ବେଙ୍ଗ ।
ସୂଚନା ଅନୁସାରେ, ଏହି ଦମ୍ପତି IT କମ୍ପାନୀରେ କାମ କରୁଥିବାବେଳେ ସେମାନେ ଅନଲାଇନ ଜରିଆରେ କିଛି ସାମଗ୍ରୀ ଅର୍ଡର କରିଥିଲେ । ଏହାର ପ୍ୟାକେଜିଂ ସମୟରେ ସାପ ପଶି ରହିଥିବା ସନ୍ଦେହ କରାଯାଉଛି । ତେବେ ଏହା କର୍ମଚାରୀଙ୍କ ଅବହେଳା କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ହୋଇଥିବା ଅଭିଯୋଗ ହୋଇଛି । ସର୍ଜାପୁରରେ ରହୁଥିବା ଏହି ଦମ୍ପତିଙ୍କ ପାର୍ସଲରେ ସାପ ବାହାରିଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ବିଷଧର ସାପ ବାହାରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।