ନୂଆଦିଲ୍ଲୀ:ଗୃହଯୁଦ୍ଧ ପରିସ୍ଥିତିରେ ଇସ୍ତଫା ଦେବା ପାଇଁ ବାଧ୍ୟ ହେବା ପରେ ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଢାକା କର୍ତ୍ତୃପକ୍ଷଙ୍କଠାରୁ ଫ୍ଲାଇଟ କ୍ଲିୟରାନ୍ସ ସମ୍ପର୍କିତ ଏକ ସଟ-ଟର୍ମ ରିକ୍ୟୁଏଷ୍ଟ ନୋଟିସ୍ ନୂଆଦିଲ୍ଲୀକୁ ପଠାଯାଇଥିଲା । ପରେ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ହସିନା ଗାଜିଆବାଦ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ । ବାଂଲାଦେଶ ସଙ୍କଟକୁ ନେଇ ଭାରତରେ ଉଷ୍ମତା ଜାରି ରହିଥିବା ବେଳେ ଆଜି ଏସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଲୋକସଭାକୁ ବିସ୍ତୃତ ଭାବେ ଅବଗତ କରିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ଭାରତ ସବୁବେଳେ ବାଂଲାଦେଶ ସହ ସମ୍ପର୍କକୁ ଗୁରୁତ୍ବ ଦେଇଆସିଛି । ଏହି ପ୍ରସଙ୍ଗରେ ମଧ୍ୟ ଭାରତ କଡା ନଜର ରଖିଛି ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି ।
- ବିଦେଶ ମନ୍ତ୍ରୀଙ୍କ ବିବୃତ୍ତି
ଆଜି ଲୋକସଭାରେ ବିବୃତ୍ତି ରଖି ଜୟଶଙ୍କର କହିଛନ୍ତି, ‘‘ଭାରତରେ ସରକାର ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ବାଂଲାଦେଶ ସହ ସୁସମ୍ପର୍କ ଅପରିବର୍ତ୍ତିତ ରହିଛି । ଜୁନ ମାସରୁ ସେଠାରେ ହିଂସାର ଆରମ୍ଭ ହୋଇଥିଲା । ଗତକାଲି ହିଂସା ଅଣାୟତ ମୋଡ ନେଇଥିଲା । ବ୍ୟକ୍ତିଗତ ଓ ସରକାରୀ ପ୍ରତିଷ୍ଠାନ ଉପରେ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି । ସୁରକ୍ଷା ବାହିନୀ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହସିନା ଭାରତରେ ପହଞ୍ଚିଛନ୍ତି । ଆମେ ଘଟଣା ଉପରେ କଡା ନଜର ରଖିଛୁ । ସେନା ଦେଶର କ୍ଷମତା ଗ୍ରହଣ କରିଛି ଓ ଅନ୍ତରୀଣ ସରକାର ପ୍ରତିଷ୍ଠା କରିବାକୁ ପ୍ରୟାସ କରାଯାଉଥିବା ବାଂଲାଦେଶ ଆର୍ମି ଚିଫ୍ ଘୋଷଣା କରିଛନ୍ତି ।’’
- ବାଂଲାଦେଶରେ 19 ହଜାର ଭାରତୀୟ
ମନ୍ତ୍ରୀ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ‘‘ସେଠାରେ ପ୍ରାୟ 19 ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ କେବଳ 9 ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଭାରତୀୟ ଉଚ୍ଚାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ କିଛି ଭାରତୀୟ ଛାତ୍ର ହିଂସା ପ୍ରାରମ୍ଭରେ ସ୍ବଦେଶ ଫେରି ସାରିଛନ୍ତି । ସେଠାରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଭାରତ ନଜର ରଖିଛି । ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେଠାରେ କିଛି ସଂଗଠନ ଓ ସଂସ୍ଥାଗୁଡିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଏହାକୁ ସ୍ବାଗତ କରୁଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତ ସରକାର ଗୃହର ସହଯୋଗ ଆଶା କରୁଛି ।’’