ଶ୍ରୀନଗର:ଜମ୍ମୁ କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ବିଦେଶୀ ନାଗରିକ ଏବେବି ନିଖୋଜ ରହିଛନ୍ତି । ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲା ସ୍ଥିତ ଗୁଲମାର୍ଗରେ ବିଦେଶୀ ପର୍ଯ୍ୟଟକମାନେ ସ୍କାଇଂ କରୁଥିଲେ । ସେହି ସମୟରେ ହିମସ୍ଖଳନ ହୋଇଥିଲା । ପ୍ରାୟ 7 ଜଣ ବିଦେଶୀ ପର୍ଯ୍ୟଟକ ନିଖୋଜ ହୋଇଯାଇଥିଲେ । କିଛି ଘଣ୍ଟାର ଉଦ୍ଧାର ଅପରେସନ ପରେ 5 ଜଣଙ୍କୁ ଉଦ୍ଧାର କରିବାରେ ସଫଳ ମିଳିଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣେ ଋଷୀୟ ନାଗରିକ ଭାବେ ଚିହ୍ନଟ ହୋଇଛନ୍ତି । ଏବେ ମଧ୍ୟ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ହିମସ୍ଖଳନର ଶିକାର ହୋଇଥିବା ସମସ୍ତ 7 ପର୍ଯ୍ୟଟକ ଋଷର ନାଗରିକ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି ।
ସ୍ଥାନୀୟ ସେନା କ୍ୟାମ୍ପ ନିକଟବର୍ତ୍ତୀ ଏରିଆରେ ଏହି ଖେଳ ଆୟୋଜନ କରାଯାଉଥିଲା । ଭୂସ୍ଖଳନ ସୂଚନା ମିଳିବା ପରେ ସ୍ଥଳସେନାର ୟୁନିଟ ଓ ବାରମୁଲ୍ଲା ପୋଲିସ ଟିମ୍ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ଅପରେସନରେ ହେଲିକପ୍ଟର ନିୟୋଜିତ କରାଯାଇଛି । ବରଫ ଅତଡା ତଳେ ଫସି ରହିଥିବା 5ଜଣଙ୍କୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳ ହୋଇଥିଲା । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ୟୁପି ପରେ ଦିଲ୍ଲୀ; ଆପ୍-କଂଗ୍ରେସ ମଧ୍ୟରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା !