ଗୌହାଟୀ: ଆଜି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଉତ୍ସବମୁଖର ପୁରା ଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ପବିତ୍ର ସମାରୋହ ଅବସରରେ ରାମ ମନ୍ଦିରକୁ ରଙ୍ଗୀନ ଫୁଲରେ ସାଜସଜ୍ଜା କରାଯାଇଛି । ଅନ୍ୟପଟେ ଅନେକ ସ୍ଥାନରେ ବିଭିନ୍ନ ଢ଼ଙ୍ଗରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବର ଆୟୋଜନ କରାଯାଇଛି । ସେନେଇ ଅନେକ ରାଜ୍ୟରେ ମଦ୍ୟପାନ ଏବଂ ଆମିଷ ଭଳି ଦ୍ରବ୍ୟର ସେବନରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଜି(ସୋମବାର) ସମସ୍ତ ଦୋକାନ ବନ୍ଦ ରଖିବାକୁ ସରକାରୀ ନିର୍ଦେଶ ଦିଆଯାଇଛି । ତେବେ ଆସାମର ମୁଖ୍ୟମନ୍ତ୍ରୀ ଆମିଷ ନଖାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଅବସରରେ ସାରା ଦେଶରେ ଉତ୍ସାହର ପବନ ବହିବାରେ ଲାଗିଛି । ଏନେଇ ଗଣମାଧ୍ୟମରେ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମର ସମସ୍ତ ଲୋକଙ୍କୁ ଆନନ୍ଦରେ ଏହି ଦିନଟିକୁ ପାଳନ କରିବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକଙ୍କୁ 22 ଜାନୁଆରୀ ଅର୍ଥାତ୍ ଆଜି ଆମିଷ ନଖାଇବାକୁ ଅନୁରୋଧ କରିଛନ୍ତି । ତେବେ ସୋମବାର ଦିନ ସମଗ୍ର ରାଜ୍ୟରେ ସମସ୍ତ ପ୍ରକାରର ମଦ ଦୋକାନ ବନ୍ଦ ରଖିବା ସହ ଡ୍ରାଏ ଡେ ପାଳନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି । ତା ସହିତ ସୋମବାର ଦିନ ଉପବାସ ରଖିବା ପାଇଁ ଅନୁରୋଧ କରିଛନ୍ତି ।