ଲକ୍ଷ୍ନୌ:ରାମ ଜନ୍ମଭୂମି ଅଯୋଧ୍ୟା ପରି କାଶୀରେ ମଧ୍ୟ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ଛିଡା ହୋଇଛି ଜ୍ଞାନବ୍ୟାପୀ ମସଜିଦ । ମନ୍ଦିରର ଧ୍ବଂସାବଶେଷ ଉପରେ ଏହି ମସଜିଦ ନିର୍ମାଣ କରାଯାଇଛି । କୋର୍ଟଙ୍କ ଅନୁମତି ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ଦ୍ବାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦୁଇଦିନ ତଳେ କୋର୍ଟ ଏହି ସର୍ଭେ ରିପୋର୍ଟର କପି ମାମଲାର ଉଭୟ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ ସର୍ଭେକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କପି ଏହି ସାର୍ବଜନୀନ ହେବା ପରେ ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଏହାକୁ ଗଣମାଧ୍ୟରେ ପ୍ରକାଶ କରିଛନ୍ତି । ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ମସଜିଦ ପରିସରରେ ହିନ୍ଦୁ ମନ୍ଦିରରେ ବ୍ୟବହୃତ ହୋଇଥିବା ଶିଳାଲେଖ ଓ ଅନ୍ୟ ନିର୍ମାଣ ସମ୍ପର୍କିତ ଉପାଦନ ମିଳିଛି ।
ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ହାତରେ ଏଏସଆଇର ସର୍ଭେ ରିପୋର୍ଟ ଧରି ପ୍ରେସମିଟ୍ କରିଛନ୍ତି । ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ମସଜିଦ ପରିସରରେ ମୋଟ 30ରୁ ଅଧିକ ସ୍ଥାନରେ ହିନ୍ଦୁ ଶିଳାଲେଖର ପ୍ରମାଣ ମିଳିଛି । ଏହା ସହ ହନ୍ଦୁ ମନ୍ଦିର ଶୈଳୀରେ ନିର୍ମିତ ଭଗ୍ନାବଶେଷ ମଧ୍ୟ ଏହି ମସଜିଦରେ ବ୍ୟବହାର ହୋଇଛି । ଦେବନାଗରୀ ଭାଷା ସହ ତେଲଗୁ ଭାଷାରେ ଲିଖିତ ଏହି ଶିଳାଲେଖରେ ଏକାଧିକ ହିନ୍ଦୁ ଦେବତାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ହିନ୍ଦୁ ମନ୍ଦିରର ଅବଶେଷକୁ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । ଏହି ରିପୋର୍ଟରୁ ଏହା ସ୍ପଷ୍ଟ ଯେ, ଏହି ମସଜିଦ ନିର୍ମାଣ ପୂର୍ବରୁ ସେଠାରେ ହିନ୍ଦୁ ମନ୍ଦିର ଥିଲା । ଯାହାର ଧ୍ବଂସାବଶେଷକୁ ମଧ୍ୟ ମସଜିଦ ନିର୍ମାଣରେ ବ୍ୟବହାର କରାଯାଇଛି ବୋଲି ବିଷ୍ଣୁ ଶଙ୍କର ଦାବି କରିଛନ୍ତି ।
ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ନିକଟରେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ବ ଓ ଏହାର ପାର୍ଶ୍ବବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଚଳିତ ମାସ 16 ତାରିଖରେ ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ ।