ଚଣ୍ଡିଗଡ଼: ଆନ୍ଦୋଳନବେଳେ ଚାଲିଗଲା ଆଉ ଜଣେ ଚାଷୀଙ୍କ ଜୀବନ। ଏମଏସପି ଗ୍ୟାରେଣ୍ଟି ଭଳି ବିଭିନ୍ନ ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁ କଡ଼ା ସୁରକ୍ଷା ବଳୟରେ ରହିଛି ହରିୟାଣା । କୃଷକମାନେ ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ସୀମାରେ ନାକାବନ୍ଦୀ କରିଛି ହରିୟାଣା ପୋଲିସ । ଏହାରି ଭିତରେ ଜଣେ ଆନ୍ଦୋଳନରତ ଚାଷୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ପତଦର ଗାଁ ନିକଟ ଦିଲ୍ଲୀ-ସଙ୍ଗ୍ରୁର ଜାତୀୟ ରାଜପଥ ନିକଟରେ କିଷାନ ମୋର୍ଚ୍ଚାର ଜଣେ ସଦସ୍ୟଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ମିଶାଇ ଆନ୍ଦୋଳନବେଳେ ଚାଷୀ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ମୃତ ଚାଷୀଙ୍କ ପଟିଆଲା ସ୍ଥିତ କଙ୍ଗଠାଲା ଗ୍ରାମର ମନଜିତ ସିଂ ବୋଲି ଜଣାପଡ଼ିଛି । ମନସିଜ ଗତ 12 ତାରିଖରୁ ଗୁଜରନ ସୀମାରେ ଆନ୍ଦୋଳନ କରିଆସୁଥିଲେ। ସେହି ସମୟରେ ଆନ୍ଦୋଳନକାରୀଙ୍କ ପ୍ରତି ପୋଲିସ ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ଗତକାଲି (ରବିବାର) ଅପରାହ୍ନ ସମୟରେ ହଠାତ୍ ମନଜିତ ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଆନ୍ଦୋଳନକାରୀମାନେ ତୁରନ୍ତ ମନଜିତଙ୍କ ପାଇଁ ଫାଷ୍ଟ-ଏଡର ବ୍ୟବସ୍ଥା କରିଥିଲେ। ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପଟିଆଲା ସ୍ଥିତ ହସ୍ପିଟାଲକୁ ରେଫର କରିଥିଲେ ଡାକ୍ତର। ହେଲେ ହସ୍ପିଟାଲକୁ ଯିବା ବାଟରେ ତାଙ୍କର ଜୀବନ ଯାଇଥିବା ଜଣାପଡ଼ିଛି।