ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ 'ମେ ଭି କେଜ୍ରିଓ୍ବାଲ' କ୍ୟାମ୍ପେନ ଆରମ୍ଭ କରିବ ଆମ ଆଦମୀ ପାର୍ଟି । ଏନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ରବିବାର ଦଳର ଏକ ବୈଠକ ବସିଥିଲା । ଆପର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ବୈଠକର ଅଧ୍ୟକ୍ଷତା କରିଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ଦଳର ରଣନୀତି କଣ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ବୈଠକ ପରେ ଆପ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, କେଜ୍ରିୱାଲ ସିଏମ ପଦରୁ ଇସ୍ତଫା ଦେବେ ନାହିଁ । ମନ୍ତ୍ରୀ, ବିଧାୟକ ଏବଂ ଦଳ ତାଙ୍କ ଜେଲରୁ ତାଙ୍କ ନିର୍ଦ୍ଦେଶ ନେବା ଜାରି ରଖିବେ । ସନ୍ଦୀପ ପାଠକ କହିଛନ୍ତି, ''ଖୁବ୍ ଶୀଘ୍ର ମେ ଭି କେଜ୍ରିୱାଲ୍ ଅଭିଯାନ ଆରମ୍ଭ ହେବ । ଏହାର ପୋଷ୍ଟର ଗୁଡିକ ଘର ବାହାରେ ଏବଂ ଅଟୋ-ରିକ୍ସାରେ ଲଗାଯିବ । ଏହି ଅଭିଯାନର ହୋର୍ଡିଂ ମଧ୍ୟ ଲଗାଯିବ। ମାର୍ଚ୍ଚ 31 INDIA ବ୍ଲକ୍ ରାଲିରେ ଯୋଗଦେଉଥିବା ଲୋକମାନେ ମେ ଭି କେଜ୍ରିୱାଲ ଅଭିଯାନର ଷ୍ଟିକର୍ ସେମାନଙ୍କ ଗାଡିରେ ଲଗାନ୍ତୁ । କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବାକୁ ମୁଁ ଅନୁରୋଧ କରୁଛି । ସରକାର ଜେଲରୁ ଚାଲିବ । କେଜ୍ରିୱାଲଙ୍କୁ ଗିରଫ କରିବା ଏବଂ ପରେ ଦଳ ଭାଙ୍ଗିବା ବିଜେପିର ଷଡଯନ୍ତ୍ର । କେହିବି ଦଳର ହାତ ଛାଡିବେ ନାହିଁ । ''