ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ବିଚଳିତ କଲାଭଳି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ଦୁଇ ମହିଳା ପୋଲିସ ଜଣେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ଛାତ୍ରୀଙ୍କ ଚୁଟି ଟାଣି ରାସ୍ତାରେ ଘୋଷାଡୁ ଥିବାର ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳୁଛି । ଘଟଣାଟି ରେଙ୍ଗାରେଡ୍ଡୀ ଜିଲ୍ଲା ରାଜେନ୍ଦ୍ରନଗରର । ସମ୍ପୃକ୍ତ ଏବିଭିପି ଛାତ୍ରୀ ରାଜ୍ୟ ସରକାରଙ୍କ ଏକ ନିଷ୍ପତ୍ତି ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ବେଳେ ତେଲେଙ୍ଗାନାର ମହିଳା ପୋଲିସ ତାଙ୍କ ସହିତ ଏଭଳି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସ ଓ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ:ପ୍ରାପ୍ତ ସୂଚନା ମୁତାବକ, ପୀଡିତା ଛାତ୍ରୀ ABVPର ତେଲେଙ୍ଗାନା ରାଜ୍ୟ ସଭାପତି ଅଟନ୍ତି ଏବଂ ତାଙ୍କର ନାଁ ଝାନ୍ସି । ନିକଟରେ ତେଲେଙ୍ଗାନା ସରକାର ରାଜ୍ୟ କୃଷି ଓ ଉଦ୍ୟାନ ବିଶ୍ବବିଦ୍ୟାଳୟର ଜମି ହାଇକୋର୍ଟ ନିର୍ମାଣ ପାଇଁ ଆବଣ୍ଟନ କରିଥିଲେ । ଏହି ନିଷ୍ପତ୍ତି ବିରୋଧରେ ABVP କର୍ମକର୍ତ୍ତା ରାଜେନ୍ଦ୍ରନଗର ବିଶ୍ବବିଦ୍ୟାଳୟରେ ଏକତ୍ରିତ ହୋଇ ଧାରଣା ପ୍ରଦର୍ଶନ କରୁଥିଲେ । ସେଠାରେ ପୋଲିସ ପହଞ୍ଚି ଧାରଣକାରୀଙ୍କୁ ସ୍ଥାନୀୟ ଥାନାକୁ ଉଠାଇ ନେଇଥିଲା ।
ପୋଲିସ ABVP କର୍ମକର୍ତ୍ତାଙ୍କୁ ଉଠାଇ ନେଉଥିବା ବେଳେ ସଂଗଠନର ରାଜ୍ୟ ସଭାପତି ଝାନ୍ସି ପୋଲିସ କବଳରୁ ଖସିଯିବାକୁ ଚେଷ୍ଟା କରୁଥିଲେ । ସେ ରାସ୍ତାରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣେ ମହିଳା କନେଷ୍ଟବଳ ସ୍କୁଟିରେ ତାଙ୍କ ପିଛା କରିଥିଲେ ଏବଂ ରାସ୍ତା ଉପରେ ତାଙ୍କର ଚୁଟି ଘୋଷାଡ଼ି ତଳେ ପକାଇ ଦେଇଥିଲେ । ପୁରା ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ପ୍ରଘଟ ପରେ ତେଲେଙ୍ଗାନାର ବିରୋଧୀ ଦଳ ସମ୍ପୃକ୍ତ ମହିଳା ପୋଲିସଙ୍କ ଏତାଦୃଶ୍ୟ ବ୍ୟବହାରକୁ ସମାଲୋଚନା କରିଛି । ନେଟିଜେନ୍ସ (ସୋସିଆଲ ମିଡିଆ ୟୁଜର୍ସ) ମଧ୍ୟ ଭିଡିଓରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।