ଲକ୍ଷ୍ନୌ:ଲୋକସଭା ନିର୍ବାଚନ ଲଢିବେନି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି (ସୋମବାର) ସମାଜବାଦୀ ପାର୍ଟି ତରଫରୁ ଜାରି ହୋଇଛି ପ୍ରାର୍ଥୀ ତାଲିକା । କନୌଜ ଲୋକସଭା ଆସନରୁ ତେଜ ପ୍ରତାପ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ବଲିୟା ଆସନରୁ ବରିଷ୍ଠ ନେତା ସନାତନ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । କନୌଜରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ହେଲେ କନୌଜ ଲୋକସଭା ଆସନରୁ ତେଜ ପ୍ରତାପଙ୍କ ପ୍ରାର୍ଥିତ୍ବ ସ୍ପଷ୍ଟ ହେବା ପରେ ଅଖିଳେଶଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପୁତୁରା ତେଜ ପ୍ରତାପଙ୍କୁ ଟିକଟ୍ ପ୍ରଦାନ କରିଛନ୍ତି ସପା ସୁପ୍ରିମୋ ଅଖିଳେଶ ।
କନୌଜରୁ ଅଖିଳେଶ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ପରିବାରର ସଦସ୍ୟଙ୍କୁ ଦଳ ଟିକେଟ୍ ଦେଇଛି । ଏହା ପୂର୍ବରୁ ମେନପୁରୀ ଆସନରୁ ଡିମ୍ପଲ ଯାଦବ, ଆଜମଗଡରୁ ଧର୍ମେନ୍ଦ୍ର ଯାଦବ, ବନ୍ଦାୟୁଁରୁ ଆଦିତ୍ୟ ଯାଦବ ଏବଂ ଫିରୋଜାବାଦରୁ ଅକ୍ଷୟ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି । ବର୍ତ୍ତମାନ କନୌଜରେ ମଧ୍ୟ ଅଖିଳେଶ ଯାଦବ ତାଙ୍କ ପରିବାର ସଦସ୍ୟ ତେଜ ପ୍ରତାପ ଯାଦବଙ୍କୁ ଟିକଟ୍ ଦେଇଛନ୍ତି । ସୂଚନା ଅନୁସାରେ, ତେଜ ପ୍ରତାପ ଯାଦବ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ବଡ଼ ଭାଇ ରତନ ସିଂ ଯାଦବଙ୍କ ନାତି । ତେଜ ପ୍ରତାପଙ୍କ ପିତା ରଣବୀର ସିଂ ଯାଦବ ମଧ୍ୟ ରାଜନୈତିକ ସ୍ତରରେ ବେଶ ସକ୍ରିୟ ଥିଲେ । ମାତ୍ର 36 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଥିଲା ।