ଦୁଇ ବର୍ଷ ପରେ ଲଣ୍ଡା ଦେଉଳରେ ଝାମୁଯାତ୍ରା, ଜମିଲା ଭକ୍ତଙ୍କ ଭିଡ - ଜଗତସିଂହପୁରରେ ଝାମୁ ଯାତ୍ରା
🎬 Watch Now: Feature Video
ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୁରାତନ ପୀଠ ଲଣ୍ଡା ଦେଉଳ ପରିସରରେ ଆଜି ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଦୀର୍ଘ 1 ମାସ ଧରି ହବିଷ୍ୟାର୍ଣ୍ଣ ଭୋଜନ ସହ ନିଷ୍ଠାପର ଭାବରେ ଥିବା ଘଣ୍ଟ ପାଟୁଆ ମାନେ ବ୍ରତ ପାଳିଥିଲେ । ଆଜି ମା' ଶାରଳାଙ୍କ ମନ୍ଦିରରୁ ବିରାଟ ପଟୁଆରେ ମା'ଙ୍କ ଚଳନ୍ତି ବିଗ୍ରହଙ୍କୁ ନେଇ ଲଣ୍ଡା ଦେଉଳ ଅଭିମୁଖେ ଯାତ୍ରା କରିଥିଲେ ପାଟୁଆ । ସେଠାରେ ମା' ଙ୍କୁ ବିଜେ କରାଇବା ପରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ଝାମୁଯାତ୍ରାରେ ନିଆଁ ଉପରେ ପାଟୁଆମାନେ ଚାଲି ଦଣ୍ଡ ଭୋଗିବାର ପରମ୍ପରା ରହିଛି । ଯାହା ଆଜି ଜଗତସିଂହପୁରରେ ଦେଖିବାକୁ ମିଳିଥଲା । ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଦେଉଳ ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମା'ଙ୍କ ନିକଟରେ କେଉଁ ଅନାଦି କାଳରୁ ଏହି ପରମ୍ପରା ଚାଲି ଆସୁଛି । ଘଣ୍ଟ ପାଟୁଆ ମାନେ ନିଆଁରେ ଚାଲିଲା ବେଳର ଦୃଶ୍ୟ ଭକ୍ତଙ୍କୁ ବେଶ୍ ଆକର୍ଷିତ କରେ । ଘଣ୍ଟଘଣ୍ଟା ମୃଦଙ୍ଗର ତାଳେତାଳେ ଘଣ୍ଟ ପାଟୁଆ ମାନେ ନିଆଁରେ ପ୍ରବେଶ କରିଥିଲେ । ଅପରାହ୍ଣରେ ମା'ଙ୍କ ଚଳନ୍ତି ପ୍ରତିମା ମୁଖ୍ୟ ମନ୍ଦିରରେ ବିଜେ କରିଥିଲେ । ଗତ ଦୁଇ ବର୍ଷ ଧରି ଏହି ପରମ୍ପରା କୋରୋନା କଟକଣା ଯୋଗୁ ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ କଟକଣା ହଟି ଥିବାରୁ ଭକ୍ତଙ୍କ ସମାଗମ ମଧ୍ୟରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଦୀର୍ଘ ଦିନ ପରେ ମାଆଙ୍କ ଦର୍ଶନ ପାଇ ଭକ୍ତ ବି ବିମୋହିତ ହୋଇଥିବା ଦେଖିବାକୁ ମିଳିଛି । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ