ରାଜପଥରେ ଏକଘଣ୍ଟା ଗାଡି ଅଟକାଇଲେ ହାତୀପଲ, ଚାଷୀଙ୍କୁ ଦଳିଦେଲା ଦନ୍ତା
🎬 Watch Now: Feature Video
ଢେଙ୍କାନାଳ: ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । କାଣ୍ଡବିନ୍ଧା ଗ୍ରାମରେ ବିଲକୁ ଯାଇଥିବା ଚାଷୀଙ୍କୁ ପାଦରେ ଦଳି ମାରିଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଉକ୍ତ ଗ୍ରାମର ନାରାୟଣ ରାଉତ ବୋଲି ଜଣାପଡିଛି । ସେପଟେ ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହାଳ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲଙ୍କୁ ଦେଖିବାକୁ ମିଳିଛି । ଯାହାଦ୍ବାରା କଟକ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ରାଜପଥରେ ସାଧାରଣ ଯାତାୟାତ ପ୍ରାୟ ଏକ ଘଣ୍ଟା ଧରି ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ସୂଚନା ମିଳିଛି । ଏହି ହାତୀପଲରେ ଦନ୍ତା, ମାଈ ହାତୀ ଓ ଛୁଆ ହାତୀ ମିଶି ୨୫ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି । ଖବର ପାଇ ବନ କର୍ମଚାରୀମାନେ ହଳଦିଆବାହାଳ ନିକଟରେ ଜଗି ରହିଛନ୍ତି । ତେବେ ହାତୀପଲ ଜାତୀୟ ରାଜପଥ ଅତିକ୍ରମ କରି ନିକଟରେ ଏକ ପାହାଡ଼ରେ ରହିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ