ସମ୍ବଲପୁର ହିଂସାକାଣ୍ଡ : କେନ୍ଦୁଝରରେ ବିଶ୍ୱ ହିନ୍ଦୁ ପରିଷଦର ଧାରଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି - ୧୩ ଟି ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
🎬 Watch Now: Feature Video
କେନ୍ଦୁଝର: ସମ୍ବଲପୁରରେ ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରାରେ ହିନ୍ଦୁ ଭକ୍ତଙ୍କ ଉପରେ ଆକ୍ରମଣ ଘଟଣା । ଏହାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ୧୩ଟି ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା ସମଗ୍ର ଓଡ଼ିଶାବାସୀଙ୍କୁ ମାର୍ମାହତ କରିଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯଦି ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲ୍ଲା ସମ୍ପାଦକ ଚେତାଇ ଦେଇଛନ୍ତି ।
ସମ୍ବଲପୁର ସହରରେ ବେଆଇନ ଭାବେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ତୁରନ୍ତ ଉଚ୍ଛେଦ କରିବା, ମସଜିଦ୍, ମଦ୍ରାସା ଓ ମୁସଲମାନ ବସବାସ କରୁଥିବା ଘର ମାନଙ୍କରେ ଚଢ଼ଉ କରାଯାଇ ମାରଣାସ୍ତ୍ର ଜବତ କରିବା ଏବଂ ଶୋଭାଯାତ୍ରାରେ ସାମିଲ ନିରୀହ ହିନ୍ଦୁମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ସଦର ପକ୍ଷରୁ ଆଜି ପୂର୍ବାହ୍ନରେ ସଦର ବ୍ଲକ ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ଆଜିର ଏହି ଧାରଣାରେ ବିରୋଧୀ ଦଳ ନେତା ମୋହନ ମାଝୀଙ୍କ ସହ ବହୁ ନେତା ସାମିଲ ହୋଇଥିଲେ ।
ଇଟିଭି ଭାରତ, କେନ୍ଦୁଝର