Train Tragedy: ସରୁନି ଦୁଃଖ, ସମ୍ପର୍କୀୟଙ୍କୁ ଖୋଜି ଖୋଜି ନୟାନ୍ତ ପରିବାର ଲୋକେ - ସମ୍ପର୍କୀୟଙ୍କୁ ଖୋଜି ଖୋଜି ନୟାନ୍ତ ପରିବାର ଲୋକେ
🎬 Watch Now: Feature Video
ଭୁବନେଶ୍ବର: ଅନେକକଙ୍କ ପରିବାରକୁ ଉଜାଡି ଦେଇଛି କରମଣ୍ଡଳ ଟ୍ରେନ ଦୁର୍ଘଟଣା । ସମୟ ଗଡିବା ସହ ଗୋଟିଏ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । କେଉଁଠି ମୃତଦେହର ପାହାଡ଼ ଗଦାରୁ ପୁଅକୁ ଖୋଜୁଛି ବାପା, ଆଉ କେଉଁଠି ଟ୍ରେନ୍ରେ ଯାତ୍ରା କରିଥିବା ସମ୍ପର୍କୀୟଙ୍କୁ ନପାଇ ଖୋଜି ଖୋଜି ନୟାନ୍ତ ହେଲେଣି ସମ୍ପର୍କୀୟ । ପଶ୍ଚିମବଙ୍ଗରୁ ଆସି ନିଜ ଭାଇକୁ ଖୋଜୁଛନ୍ତି ଦୁଇ ଯୁବକ । ଯାହାର ଦୃଶ୍ୟ କଏଦ ହୋଇଥିଲା ଆମ କ୍ୟାମେରାରେ । ସାନ ଭାଇ କୃଷ୍ଣ ରବି ଦାଶକୁ ଖୋଜିବା ପାଇଁ ଏବେ ଓଡ଼ିଶାରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମାଲଦାର ଅଶୋକ ରବି ଦାଶ । ତାଙ୍କ ଭାଇ ବେଙ୍ଗାଳୁରୁରୁ ଯଶବନ୍ତପୁର ହାଓ୍ବାଡା ଏକ୍ସପ୍ରେସରେ ଆସୁଥିଲେ । କିନ୍ତୁ ଟ୍ରେନ ଦୁର୍ଘଟଣା ପରେ କୃଷ୍ଣ ରବିଙ୍କୁ ଖୋଜି ପାଉ ନାହାନ୍ତି ତାଙ୍କ ପରିବାର ଲୋକେ । ସେହିପରି ପଶ୍ଚିମବଙ୍ଗ ନିବାସୀ ରଫି ଉଲ୍ ହକ୍ ତାଙ୍କ ସାନ ଭାଇ ଇଂଜାମ ଉଲ ହକକୁ ନପାଇ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । କିନ୍ତୁ ଭାଇ ସମ୍ପର୍କରେ କୌଣସି ସୂଚନା ନପାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ସେହିପରି ଆଉ ଜଣେ ନିଖୋଜ ଯାତ୍ରୀ ହେଉଛନ୍ତି ସଂଯୁକ୍ତା ମଣି । ସେ କରମଣ୍ଡଳ ଏକ୍ସପ୍ରେସରେ କଟକ ଅଭିମୁଖେ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ତାଙ୍କର ପତ୍ତା ମିଳୁନି । ତାଙ୍କ ସମ୍ପର୍କୀୟ ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗୀ ବାସିନ୍ଦା ଶକୁନ୍ତଳା ନାୟକ ତାଙ୍କୁ ଏବେ ଖୋଜିବାରେ ଲାଗିଛନ୍ତି । ଏମିତି ଅନେକ ଯାତ୍ରୀଙ୍କୁ ଏବେ ଖୋଜି ପାଉନାହାନ୍ତି ସମ୍ପର୍କୀୟ । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଚେନ୍ନାଇର ଅନେକ ଯାତ୍ରୀଙ୍କ ଖୋଜ ଖବର ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ, ଅନେକ ଯାତ୍ରୀ ନିଖୋଜ ହେବା ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଇଟିଭି ଭାରତ, ଭୁବନେଶ୍ବର