ଟନେଲରୁ ବାହାରିବେ ନବରଙ୍ଗପୁରର ଭଗବାନ ଭତ୍ରା, ଭେଟିବାକୁ ଗଲେ ଭାଇ
🎬 Watch Now: Feature Video
Published : Nov 24, 2023, 5:44 PM IST
ନବରଙ୍ଗପୁର: ଆଜକୁ ପ୍ରାୟ ୧୪ ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଥିବା ବେଳେ ଆଉ କିଛି ଘଣ୍ଟା ପରେ ସେମାନେ ଟନେଲ ବାହାରକୁ ବାହାରିବେ । ତେବେ ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ୍ ତାଲବେଡ଼ା ଗ୍ରାମର ଭଗବାନ ଭତ୍ରା । ଭଗବାନ ଟନେଲ ଭତରେ ଫସି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭଗବାନଙ୍କ ଭାଇ ଫୁଲଚାନ୍ଦ ଭତ୍ରାଙ୍କୁ ଉତ୍ତରାଖଣ୍ଡ ପଠାଯାଇଛି ।
ଭଗବାନ ଟନେଲରୁ ବାହାରିବା ପରେ ଭଗବାନଙ୍କ ପରିବାର ତରଫରୁ ତାଙ୍କ ସମ୍ପର୍କୀୟ ଭାଇ ଫୁଲଚନ୍ଦ ପ୍ରଥମ ବ୍ୟକ୍ତି ଭାବରେ ତାଙ୍କୁ ଭେଟିବେ । ଏନେଇ ଜିଲ୍ଲା ଶ୍ରମ ବିଭାଗର ଅତିରିକ୍ତ ଶ୍ରମ ଅଧିକାରୀଙ୍କ ସହ ଜୟପୁର ବିମାନ ବନ୍ଦରରୁ ବିମାନ ଯୋଗେ ଭୁବେନଶ୍ବର ଯାଇଛନ୍ତି ଫୁଲଚନ୍ଦ । ସେଠାରୁ ଅନ୍ୟ ଏକ ବିମାନ ଯୋଗେ ଉତ୍ତରାଖଣ୍ଡ ଯିବେ ବୋଲି ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଉତ୍ତରକାଶୀ ଟନେଲ ରେସ୍କ୍ୟୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛି ସମୟ ପରେ ଖୁସି ଖବର ମିଳିବା ନେଇ ଆଶା କରାଯାଉଛି । ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଫସି ରହିଥିବା ଶ୍ରମିକଙ୍କ ପରିବାର ଏବେ ଉତ୍ତରକାଶୀରେ ପହଞ୍ଚି ଆତ୍ମୀୟଙ୍କ ଉଦ୍ଧାରକୁ ଅପେକ୍ଷା କରିରହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.......ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ହୀରାକୁଦରୁ ଗଲା ଅଗର ମେସିନ
ଇଟିଭି ଭାରତ, ନବରଙ୍ଗପୁର