ପଞ୍ଚୁକରେ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ପାଦ ଦର୍ଶନ, ଭକ୍ତଙ୍କ ଭିଡ଼
Published : Nov 26, 2023, 2:34 PM IST
ବ୍ରହ୍ମପୁର : ପବିତ୍ର କାର୍ତ୍ତିକ ମାସରେ ପ୍ରମୁଖ ପୀଠମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଥିବାର ଦେଖିବାକୁ ମିଳିଛି । ହେଲେ ଏହି ସମୟରେ ବ୍ରହ୍ମପୁର ସହରରେ ରହିଥିବା ପ୍ରସିଦ୍ଧ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପଞ୍ଚୁକ ସମୟରେ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ପାଦ ଦର୍ଶନ କରିଥାନ୍ତି ଭକ୍ତ । ଏହି ସମୟରେ କେବଳ ବ୍ରହ୍ମପୁର ନୁହେଁ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଭୋର ସମୟରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ପାଦ ଦର୍ଶନ କରିଛନ୍ତି । ବ୍ରହ୍ମପୁର ସହରରେ ଏଭଳି ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ଦର୍ଶନ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ମନ୍ଦିରର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥି ସହିତ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ହେବା ପାଇଁ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିଲା । ଅନ୍ୟପଟେ ଭୋର ସମୟରୁ ଆରମ୍ଭ ହୋଇଥିବା ଏହି ଦର୍ଶନ ସୂର୍ଯ୍ୟୋଦୟ ପରେ ଶେଷ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ମା’ ଶାରଳାଙ୍କ ଏକାଦଶୀ ବ୍ରତ, ଲୋକରଣ୍ୟ ଦେବୀଙ୍କ ପୀଠ
ଇଟିଭି ଭାରତ, ବ୍ରହ୍ମପୁର