ହରଗୌରୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ସାନ୍ନିଧ୍ୟ ଲାଭ କଲେ ଶ୍ରଦ୍ଧାଳୁ - ହରଗୌରୀ ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 1, 2023, 1:26 PM IST

ସୁବର୍ଣ୍ଣପୁର: ସହରର ଢେରା ସଂପ୍ରଦାୟ ପକ୍ଷରୁ ଚାଲିଥିବା ହରଗୌରୀ ଯାତ୍ରାରେ ଦେବ ଦମ୍ପତ୍ତି ଯୁଗଳ ମୂର୍ତ୍ତି ଦର୍ଶନ ଦେଉଛନ୍ତି । ଦକ୍ଷିଣ ଭାରତୀୟ ତେଲୁଗୁ ବା ଢେରା ସଂପ୍ରଦାୟ ପକ୍ଷରୁ ଚାଲିଥିବା ଏହି ଯାତ୍ରାରେ ଉଭୟ ଦକ୍ଷିଣ ଭାରତୀୟ ଓ ଉତ୍କଳୀୟ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳିଥାଏ । କୃଷିଭିତ୍ତିକ ଏହି ପର୍ବରେ ସହରର ଇଷ୍ଟ ଦେବ ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଚାଷଜମିରୁ ଧାନ ଗଛକୁ ଦେବୀ ମା ଅନ୍ନପୂର୍ଣ୍ଣା ବା ଗୌରୀ ରୂପେ ଆବାହନ କରାଯାଏ । ସେହିପରି ସହରର ବିଶିଷ୍ଟ ଶିଳ୍ପକାର ଗୋଲେଖନାଥ ସାହୁଙ୍କ ବାସଭବନରୁ ହରଙ୍କୁ ଆବାହନ କରାଯାଇ ଅଣାଯାଇଥାଏ । ଦେବୀ ମା ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ମଣ୍ଡପରେ ରଖି ଦେବ ଦମ୍ପତ୍ତିଙ୍କ ପୂଜା ଆରାଧନା କରାଯାଇଥାଏ। ହରଗୌରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରଦ୍ଧାଳୁମାନେ ଦକ୍ଷିଣ ଭାରତୀୟ ପ୍ରାର୍ଥନା କରିବା ସହିତ ଧୂପ, ଦୀପ, ଦକ୍ଷିଣ ଭାରତୀୟ ସ୍ବତନ୍ତ୍ର ପ୍ରକାରର ନୈବେଦ୍ୟ ଦେଇ ପୂଜା ଆରାଧନା କରିଥାଆନ୍ତି । ସେହିପରି ଦେବୀ ମା ଠାକୁରାଣୀଙ୍କ ଶୋଡ଼ଷ ଉପଚାର ପୂଜା କରିବା ସହିତ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କାଠି ପକା ଯାଇଥାଏ ।

ଦକ୍ଷିଣ ଭାରତୀୟ ଓ ଉତ୍କଳୀୟ ଲୋକ ସଂସ୍କୃତିର ମିଶ୍ରଣରେ କାହିଁ କେତେ ଦିନରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ହରଗୌରୀଙ୍କୁ ଆବାହନ କରାଯିବା ସହିତ ସ୍ବତନ୍ତ୍ର ପୂଜା ଆରାଧନା କରାଯାଇଥାଏ । ଯାତ୍ରାର ବିଧି ଅନୁଯାୟୀ ପ୍ରଥମେ ସୁବର୍ଣ୍ଣମେରୁଙ୍କ ନିଜସ୍ବ ଜମିରୁ ଧାନଗଛକୁ ଦେବୀ ଅନ୍ନପୂର୍ଣ୍ଣା ବା ଗୌରୀ ଭାବେ ଜଣେ ଅବିବାହିତ ଯୁବକ ମୁଣ୍ଡରେ ବୋହି ଆଣି ମଣ୍ଡପରେ ପ୍ରତିଷ୍ଠା କରିଥାନ୍ତି । ଅକ୍ଟୋବର 27 ତାରିଖରୁ ଏହି ଯାତ୍ରାର ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗାମୀ ନଭେମ୍ବର 4 ତାରିଖରେ ହରଗୌରୀଙ୍କ ନଗର ଭ୍ରମଣ ପରେ ଯାତ୍ରାର ପରିସମାପ୍ତି ହେବ ବୋଲି ଯାତ୍ରା କମିଟି ସଭାପତି ସୂୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.