Subarnapur Haragouri Yatra: କାଲି ହରଗୌରୀଙ୍କ ନଗର ଭ୍ରମଣ ଶୋଭାଯାତ୍ରା, ମହାନଦୀରେ ହେବେ ବିସର୍ଜନ - ହରଗୌରୀଙ୍କ ନଗର ଭ୍ରମଣ ଶୋଭାଯାତ୍ରା ସୁବର୍ଣ୍ଣପୁର
🎬 Watch Now: Feature Video
Published : Nov 4, 2023, 10:57 PM IST
ସୁବର୍ଣ୍ଣପୁର: ଅଷ୍ଟମ ଦିବସରେ ପହଞ୍ଚିଛି ସୁବର୍ଣ୍ଣପୁରର ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା । ଆସନ୍ତାକାଲି ଦେବାଦେବୀଙ୍କ ନଗର ପରିକ୍ରମା ପରେ ହରଗୌରୀ ଯାତ୍ରାର ପରିସମାପ୍ତି ହେବ । ଆଜି ଦେବୀଙ୍କ ଶୋଡଷ ଉପଚାର ପୂଜା ଆରାଧନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସନ୍ଧ୍ୟାରେ ହରଗୌରୀଙ୍କ ମନ୍ତ୍ର ବିସର୍ଜନ ପୂଜା ଆରାଧନା କରାଯାଇଛି । ହରଗୌରୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହର ପାର୍ଶ୍ବରେ ପ୍ରବାହିତ ଚିରତ୍ସୋତା ମହାନଦୀରେ ହରଗୌରୀଙ୍କ ବିସର୍ଜନ ପାଇଁ ନଗର ଭ୍ରମଣ ବିସର୍ଜନ ଶୋଭାଯାତ୍ରାର ଆୟୋଜନ କରାଯାଇଛି ।
କୃଷି ଭିତ୍ତିକ ଏହି ପର୍ବରେ ଉଭୟ ଉତ୍କଳୀୟ ଓ ଦକ୍ଷିଣ ଭାରତୀୟ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳୁଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ହରଗୌରୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏହି ପର୍ବର ବିଶେଷତ୍ବ ହେଉଛି ଦକ୍ଷିଣ ଭାରତୀୟ ସଂସ୍କୃତି ଆଧାରରେ ଦେବୀ ଠାକୁରାଣୀ ଓ ହରଗୌରୀଙ୍କ ପୂଜା ଆରାଧନା କରାଯାଏ । ଗଡଜାତ ସହରର ଶକ୍ତି ଆରାଧନାର ଛାପ ଏହି ପର୍ବରେ ଦେଖିବାକୁ ମିଳେ । କାହିଁ କେତେ ଦିନରୁ ପ୍ରତି ଦୁଇ ବର୍ଷ ଅନ୍ତରରେ ପାଳିତ ହେଉଥିବା ଏହି ପର୍ବରେ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଧାନ ଚାଷ ଜମିରୁ ଧାନଗଛକୁ ଗୌରୀ ରୂପେ ଆବାହନ କରାଯାଏ । ଯାହା ସ୍ଥାନୀୟ ତାନ୍ତ୍ରୀକ ଶକ୍ତି ଆରାଧନାର ଏକ ଉଦାହରଣ ।
ଏହା ମଧ୍ୟ ପଢ଼ନ୍ତୁ.....Subarnapur Haragouri Yatra: ଦେବୀଙ୍କୁ ସନ୍ତୁଷ୍ଟ ପାଇଁ କାଠିପକା ନୃତ୍ୟ କଲେ ପୁରୁଷ
ତେବେ ଶକ୍ତି ସ୍ବରୁପା ଦେବୀ ଓ ଗୌରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦକ୍ଷିଣ ଭାରତୀୟ ନୃତ୍ୟ ଶୈଳୀରେ ପୁରୁଷ ଶ୍ରଦ୍ଧାଳୁମାନେ ଦେବୀ ମା' ଗୌରୀଙ୍କ ଆଗରେ କାଠି ପକାଇଥାନ୍ତି । ହରଗୌରୀ ଯାତ୍ରା ସମୟରେ ପ୍ରାୟ ନଅ ଦିନ ଧରି ସନ୍ଧ୍ୟାରେ ଦେବୀ ମା' ଓ ହରଗୌରୀଙ୍କ ଆଗରେ କାଠିପକା ନୃତ୍ୟ ପରିବେଷଣ କରାଯାଏ । ଉତ୍କଳୀୟ ପରମ୍ପରାରେ ସାଧାରଣତଃ ଉଦଣ୍ଡ ପ୍ରେମ ସଂକୀର୍ତ୍ତନ, ଗୌଡିଖୋଳ ସଂକୀର୍ତ୍ତନ ଓ ରଂଗୀନ ସଂକୀର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ଦକ୍ଷିଣ ଭାରତୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକରେ ଶକ୍ତି ସ୍ବରୁପା ଦେବୀ ମା'ଙ୍କୁ ପ୍ରସନ୍ନ କରିବା ପାଇଁ କାଠିପକା ନୃତ୍ୟ ପରିବେଷଣ କରାଯାଇଥାଏ । ଗଡଜାତ ସହରରେ ଏହି ସ୍ବତନ୍ତ୍ର ତଥା ଆକର୍ଷଣୀୟ ହରଗୌରୀ ଯାତ୍ରାରେ ସାମିଲ ହେବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମୁଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର