thumbnail

By ETV Bharat Odisha Team

Published : Nov 14, 2023, 9:52 PM IST

ETV Bharat / Videos

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା ଭଦ୍ରକାଳୀ, ଭକ୍ତଙ୍କ ଗହଳି


ଭଦ୍ରକ: ପରମ ବୈଷ୍ଣବୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କର ଆଜି ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହୋଇଯାଇଛି । କାଳୀପୂଜା ଉପଲକ୍ଷେ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତ ଦିବସ ବ୍ୟାପୀ ସପ୍ତମାତୃକା ବେଶରେ ମାଆଙ୍କୁ ସଜ୍ଜିତ କରାଯାଉଥିବା ବେଳେ ଆଜି ତୃତୀୟ ଦିବସରେ ଆଜି ମା "ରାଜରାଜେଶ୍ବରୀ ବେଶ"ରେ ପୂଜା ପାଉଛନ୍ତି । ଗୋଲାପୀ ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା ଭଦ୍ରକାଳୀ । ଏଥିସହ ହସ୍ତି ଏବଂ ବ୍ୟାଘ୍ର ମା' ଙ୍କର ବାହନ ଥିବାବେଳେ ମୁଖ ମଣ୍ଡଳ ପଦ୍ମ ବର୍ଣ୍ଣ ରେ ଝଲସିତ ହେଉଛି । ହସ୍ତରେ ଖଡ୍ଗ ଏବଂ ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ମାଆ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଏହାମଧ୍ୟ ପଢନ୍ତୁ..Kali Puja: ଚାଲିଛି ମାଆ କାଳୀଙ୍କ ଆରାଧନା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ମାଆଙ୍କର ଏହି ରାଜରାଜେଶ୍ବରୀ ବେଶକୁ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ଆୟୁ, ନିରୋଗ ଏବଂ ଆରୋଗ୍ୟ ପ୍ରାପ୍ତି ହେବା ସହ ଭକ୍ତମାନେ ଯଶ ତଥା ଐଶ୍ବର୍ଯ୍ୟ ଲାଭ କରନ୍ତି ବୋଲି ବିଶ୍ବାସ କରାଯାଏ। ତେଣୁ ମାଆଙ୍କୁ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି । ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ପରମ ବୈଷ୍ଣବୀ ମା ଭଦ୍ରକାଳୀ ଭକ୍ତମାନଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି। ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ । 

ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହେଉଛି । ଏହି ସାତ ଦିନ ଧରି ଏହି ଶକ୍ତି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆଳତି, ସଂକୀର୍ତ୍ତନ, ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ। ତେବେ ଆସନ୍ତାକାଲି ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମାଆ ସିଂହ ବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗୁରୁବାର ଦିନ ଜଗଦ୍ଧାତ୍ରୀ, ଶୁକ୍ରବାର ଦିନ ମହା ସରସ୍ବତୀ ଏବଂ ଶନିବାର ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.