ବ୍ରହ୍ମପୁରରୁ ପୁରୀକୁ ଦୈନିକ ରେଳ ଚଳାଚଳ ଦାବିରେ ରେଳଷ୍ଟେସନ ସମୁଖରେ ଧାରଣା - ଗ୍ରୀନ ସେଡ୍ ନିର୍ମାଣ ଦାବି
🎬 Watch Now: Feature Video
ବ୍ରହ୍ମପୁର: ଦୈନିକ ରେଳ ଚଳାଚଳ ଦାବି କରି ରେଳଷ୍ଟେସନ ସମ୍ମୁଖରେ ବରିଷ୍ଠ ନାଗରିକ ମଞ୍ଚର ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ବ୍ରହ୍ମପୁରଠାରୁ ପୁରୀ ପାଇଁ ସ୍ୱତନ୍ତ୍ର ଟ୍ରେନ ଦାବି ସହ 3 ଦଫା ଦାବିରେ ଏହି ଧାରଣା ଦିଆଯାଇଛି । ତେବେ ଆସନ୍ତାକାଲି ଏହାକୁ ନେଇ ମାନବଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ରେଳବିଭାଗ ଉପରେ ଚାପ ପ୍ରୟୋଗ କରାଯିବ ବୋଲି କୁହାଯାଇଛି । ମୁଖ୍ୟତଃ ବ୍ରହ୍ମପୁର-ପୁରୀ ସିଧାସଳଖ ଟ୍ରେନ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଚଳାଚଳ କରିବା ପାଇଁ ଦାବି କରଯାଉଛି...
ବ୍ରହ୍ମପୁର- ବିଶାଖପାଟଣା ସକାଳ 7ଟାରେ ଛାଡିବା ଓ ବ୍ରହ୍ମପୁର ଷ୍ଟେସନ୍ ସମୁଖରେ ଗ୍ରୀନ୍ ସେଡ୍ ନିର୍ମାଣ ଦାବି ନେଇ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ 2016 ମସିହାରୁ ଏହି ଦାବି ଉପସ୍ଥାପନ କରାଯାଉଥିବା ବେଳେ ତାହାକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ରଥଯାତ୍ରା ସମୟରେ ରାଜ୍ୟର ପ୍ରମୁଖ ସହରରୁ ପୁରୀକୁ ଟ୍ରେନ୍ ଚଳାଚଳ ହେଉଥିବାବେଳେ ବ୍ରହ୍ମପୁରକୁ ଏଥିରେ ଗୁରୁତ୍ୱ ଦିଆଯାଉନଥିବା ଯୋଗୁଁ ଏହାକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି ।
ପୂର୍ବରୁ 2017 ମସିହାରେ ଦିଲ୍ଲୀରେ ରେଳ ବିଭାଗର ବୋର୍ଡ ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଏଥିପ୍ରତି ନିର୍ବାଚିତ ପ୍ରତିନିଧି ଗୁରୁତ୍ୱ ଦେଉନଥିବା କହିଛନ୍ତି ଆନ୍ଦୋଳନକାରୀ । ସେପଟେ ବ୍ରହ୍ମପୁର ରେଳ ଷ୍ଟେସନରୁ ରାଜ୍ୟରେ ଭୁବନେଶ୍ୱର ପରେ ଅଧିକ ରାଜସ୍ୱ ଆଦାୟ ହେଉଥିବା ଯୋଗୁଁ ଏହାର ବିକାଶ ପାଇଁ ଦୃଷ୍ଟି ଦିଆଯିବାର ଆବଶ୍ୟକତା ଥିବା ବରିଷ୍ଠ ନାଗରିକମାନେ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର