ହିନ୍ଦୁ ମୁସଲିମ ଭାଇଚାରା: କଳାଙ୍ଗ ପୀରବାବା ପୀଠରେ ଏକାଠି ପାଳିଲେ ଉତ୍ସବ
🎬 Watch Now: Feature Video
ଖୋର୍ଦ୍ଧା: ପୁଣି ଦେଖିବାକୁ ମିଳିଛି ହିନ୍ଦୁ ମୁସଲିମ ଭାଇଚାରା । ଏକାଠି ମିଶି ପାଳିଲେ ଉତ୍ସବ । ବୋଲଗଡ଼ ବ୍ଲକ ଅନ୍ତର୍ଗତ କଳାଙ୍ଗ ଗୋଛାବରୀ ପଡ଼ିଆଠାରେ ସ୍ଥାପିତ ଶାହାତିମ ଶାହା(ପୀର ବାବା)ଙ୍କ ସମାଧି ପୀଠରେ 35ତମ ବାର୍ଷିକ ଉତ୍ସବ ବା ସାଲାନା ଉର୍ସ ଉତ୍ସବ ମହାସମାରୋହକୁ ମିଳିମିଶି ପାଳିଛନ୍ତି ହିନ୍ଦୁ ମୁସଲିମ ସମ୍ପ୍ରଦାୟ । ମାଣିକଗୋଡ଼ାର ସୁନ୍ନି ସମ୍ପ୍ରଦାୟର ମସଜିଦ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । ଖାଦିମ ବା ପୂଜକ ନାସିର ଖାଁ ଓ ଇକ୍ରମ ଖାଁ ମୁଖ୍ୟ ପୁରୋଧା ଭାବେ ସକାଳ 4ଟାରୁ ବାବାଙ୍କ ସମାଧି ବା ମଜାରରେ ଅତର ସ୍ନାନ ଚଦର ଚଢା ଓ ଜର୍ଦା (ମିଠା)କାନିକା ପ୍ରସାଦ ଅର୍ପଣ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲା ଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଭାଇଚାରା ବାର୍ତ୍ତା ଦେଇ ମହରମ ପାଳିଲେ ରାଉରକେଲାବାସୀ
ଏହି ଉତ୍ସବରେ ବୋଲଗଡ଼ ଅଞ୍ଚଳର ବିଶେଷକରି ଦଳେଇସାହି, କଳାଙ୍ଗ, ଖଙ୍ଗୁରିଆ, ଫାସିଓଦା, ବୋଲଗଡ଼, କଡ଼ବ, ଗୋପାଳପୁର ଓ ଡାବରଧୁଆ ପାଟଣା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ହଜାର ହଜାର ହିନ୍ଦୁ ମୁସଲିମ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲଗାଇଥିଲେ । ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ, କଂଗ୍ରେସ ରାଜ୍ୟ ସମ୍ପାଦକ ପୃଥିବଲ୍ଲଭ ପଟ୍ଟନାୟକ, ବିଜେଡି ଯୁବନେତା ବ୍ରଜବନ୍ଧୁ ସୁବୁଦ୍ଧି, ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ମଜାରରେ ଚାଦର ଚଢ଼ାଇ ଥିଲେ । ଉର୍ସ କମିଟି ସଭାପତି ଜୁବେର ମହମ୍ମଦ, ସଭ୍ୟ ମୀର ହିଦାୟତ ଅଲ୍ଲୀ, ଗୁଲଜାର ଖାଁଙ୍କ ସମେତ ମାଣିକଗୋଡ଼ା ଗ୍ରାମର ବହୁ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ସହଯୋଗ କରିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା