ଚାଷ ପାଇଁ ସମସ୍ୟା ଭୋଗିବେନି ଚାଷୀ, ଜଳ ନିଷ୍କାସନ ପାଇଁ ୧୬ କୋଟି ୫୦ ଲକ୍ଷ ମଞ୍ଜୁର

By ETV Bharat Odisha Team

Published : Dec 9, 2023, 8:57 AM IST

thumbnail

ପୁରୀ: ବ୍ରହ୍ମଗିରି ବ୍ଲକର ଚାଷୀ ଓ ମତ୍ସ୍ୟଜୀବୀଙ୍କ ଦୀର୍ଘ ଦିନର ଦାବି ପୂରଣ । ଜଳ ନିଷ୍କାସନ ଓ ମାଛ ଚାଷ ପାଇଁ ୧୬ କୋଟି ୫୦ ଲକ୍ଷ ୬୯ ହଜାର ଟଙ୍କା ଅନୁଦାନ ଦେଲେ ସରକାର । ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ଦୀର୍ଘ ବର୍ଷ ଧରି ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି । ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବାରମ୍ବାର ଚାଷୀମାନେ କ୍ଷତି ସହୁଛନ୍ତି । ତେଣୁ ଏହାର ପ୍ରତିକାର ନିମନ୍ତେ ସେମାନଙ୍କର ଦୀର୍ଘ ଦିନର ଦାବିକୁ ସରକାର ଶୁଣିଛନ୍ତି । ଚାଷୀଙ୍କ ଜଳସେଚନ, ଜଳନିଷ୍କାସନ ଓ ମାଛ ଚାଷ କରି ସ୍ଵାବଲମ୍ବୀ ହେବା ପାଇଁ ସରକାର ୧୬ କୋଟି ୫୦ ଲକ୍ଷ ୬୯ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡି ହେଲା ନୂଆପଡା, ଜିଲ୍ଲାର ବିକାଶ ପାଇଁ 65 କୋଟି 50 ଲକ୍ଷ ମଞ୍ଜୁର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡ୍ରେନେଜ୍ ଜଗନ୍ନାଥପୁର ଠାରୁ ଚିଲିକା ପର୍ଯ୍ୟନ୍ତ ୩ କିଲୋମିଟର ଓ କଙ୍କଡା ଦୀପ ଠାରୁ ଚିଲିକା ପର୍ଯ୍ୟନ୍ତ ୩ କିଲୋମିଟର, ମାଛିଆଦିଆଣ୍ଡି ଠାରୁ ଚିଲିକା ୨.୫ କିଲୋମିଟର ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଫଳରେ ୩୦ ହଜାରରୁ ଊର୍ଦ୍ଧ୍ବ ଚାଷୀ ଓ ମତ୍ସ୍ୟଜୀବୀମାନେ ଉପକୃତ ହେବେ । ଉତ୍ତମ ଜଳ ନିଷ୍କାସନ ସାଙ୍ଗକୁ ଏହି ଜଳାଶୟରେ ମତ୍ସ୍ୟଚାଷୀମାନେ ମାଛଚାଷ କରିପାରିବେ । ସୁବିଧାରେ ଚିଲିକାକୁ ଯାଇ ମାଛ ଧରିପାରିବେ । ଏହି ପ୍ରକଳ୍ପକାମ ଶୀଘ୍ର ଆରମ୍ଭ ହେବ । ମତ୍ସ୍ୟ ଓ ପଶୁ ପାଳନ ବିଭାଗ ପ୍ରକଳ୍ପ କରିବାକୁ ଟଙ୍କା ମଞ୍ଜୁର କରିଥିବା ବେଳେ ପୁରୀର ଡ୍ରେନେଜ୍ ବିଭାଗ ଏହି ପ୍ରକଳ୍ପ କାମ କରିବ ।

 
ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.