ଅଣସରରେ ଶ୍ରୀଜିଉ, ଦର୍ଶନ କରନ୍ତୁ ଅଲାରନାଥଙ୍କ ଆଳତୀ
🎬 Watch Now: Feature Video
ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ଅସୁସ୍ଥତା ପାଇଁ ଅଣସରରେ ରହିଛନ୍ତି ମହାପ୍ରଭୁ । ୧୫ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଅଣସରର ନୀତିର ଆଜି ତୃତୀୟ ଦିନ । ଏହି 15 ଦିନ ଯାକ ଭକ୍ତଙ୍କୁ ଦର୍ଶନ ଦେଇନଥାନ୍ତି ଶ୍ରୀଜିଉ । ତେଣୁ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଏବେ ବ୍ରହ୍ମଗିରି ଶ୍ରଦ୍ଧାଳୁଙ୍କ ପାଇଁ ପାଲଟି ଯାଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ମଧ୍ୟ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆଜି ଭୋର୍ ୪ଟାରୁ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପନ୍ନ ହୋଇଛି । ଅଲାରନାଥଙ୍କ ମଙ୍ଗଳ ଆଳତୀ ଦର୍ଶନର ସୌଭାଗ୍ୟ ଅର୍ଜନ କରିଛନ୍ତି ଭକ୍ତ । ବର୍ତ୍ତମାନ ମହାପ୍ରଭୁ ଅଣସରରେ ଥିବାରୁ ଅଲାରନାଥଙ୍କ ଦର୍ଶନ ପାଇଁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଅଲାରନାଥଙ୍କ ଦିବ୍ୟ ଆଳତୀ ଦର୍ଶନ କରି କୃପା ଲାଭ କରନ୍ତୁ ।
ଇଟିଭି ଭାରତ,ପୁରୀ