ଦଳିଦେଲା ଦନ୍ତା, ଖଣ୍ଡବିଖଣ୍ଡିତ ଶରୀର ଖୋଜୁଛି ବନ ବିଭାଗ - man died due to elephant attack

🎬 Watch Now: Feature Video

thumbnail

By

Published : May 30, 2023, 2:46 PM IST

କଳାହାଣ୍ଡି: ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଗଜରାଜଙ୍କ ଆତଙ୍କରାଜ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଗାଁରେ ପଶି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି।  ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଯାହା ଫଳରେ ହାତୀ ଓ ମଣିଷର ଲଢେଇରେ ଅନେକ ଧନ ଜୀବନ ହାନି ହେଉଛି। ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି। elephant squadଙ୍କ ଦାୟିତ୍ବରେ ଅବହେଳା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଛି।

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ଼ ରେଞ୍ଜର ନିୟମଗିରି ପାହାଡ ପାଦଦେଶରେ ଥିବା ବସନ୍ତ ପଡା ଗାଁ ନିକଟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ସୂଚନା ଅନୁଯାୟୀ, ବସନ୍ତପଡା ଗାଁର ବାଙ୍ଗରା ମାଝୀ ସନ୍ଧ୍ୟା ସମୟରେ ଜଙ୍ଗଲ ମଧ୍ୟରେ ଥିବା ରାସ୍ତା ଦେଇ ଡେଙ୍ଗସର୍ଗି ଗାଁରେ ଥିବା ନିଜ ଝିଅ ଘରକୁ ଯାଉଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ହାତୀ ତାଙ୍କୁ କଚାଡି ମାରିବା ସହ ଦଳି ଦେଇଥିଲା।ଫଳରେ ବାଙ୍ଗରାଙ୍କ ଶରୀର ଖଣ୍ଡବିଖଣ୍ଡ ହୋଇ ଜଙ୍ଗଲରେ ପଡିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଖଣ୍ଡ ବିଖଣ୍ଡିତ ଶରୀରକୁ ଠାବ କରିଛନ୍ତି। ପରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।  

ଘଟଣାକୁ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ବନ ବିଭାଗର ଅବହେଳା କାରଣରୁ ଉପାନ୍ତ ଇଲାକାରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.