ବର୍ଷାରେ ହନ୍ତସନ୍ତ ପଞ୍ଚସଖା ନଗରବାସୀ, ନର୍ଦ୍ଦମା ପାଣିରେ WATCO ଅଧିକାରୀଙ୍କୁ ଚଲାଇଲେ ଲୋକେ - ମଇଳା ପାଣିରେ ଚାଲିଲେ watco ଅଧିକାରୀ
🎬 Watch Now: Feature Video
ଭୁବନେଶ୍ବର: ବର୍ଷା ଯୋଗୁଁ ହନ୍ତସନ୍ତ ପଞ୍ଚସଖା ନଗରବାସୀ । ରାସ୍ତା ଉପରେ ଲହଡ଼ି ମାରୁଛି ନାଳ ନର୍ଦ୍ଦମା ତଥା ପାଇଖାନାର ପାଣି । ଡ୍ରେନେଜ୍ କାମ ପାଇଁ ଦେଢ଼ ବର୍ଷ ହେଲା ରାସ୍ତାକୁ ଖୋଲିଦେଇ ଛାଡି ଚାଲିଯାଇଥିଲେ WATCO ଇଞ୍ଜିନିୟର । ଯାହା ଫଳରେ ରାସ୍ତାରେ ଅନେକ ଖାଲ ସୃଷ୍ଟି ହୋଇଛି । ରାସ୍ତା ଉପରେ ନର୍ଦ୍ଦମା ପାଣି ଉପରେ ଆଜି ଇଞ୍ଜିନିୟରଙ୍କୁ ଚଲାଇଛନ୍ତି ଅସନ୍ତୁଷ୍ଟ ଲୋକେ । ରାସ୍ତା କାମ ଅଧପନ୍ତରିଆ କରି WATCOର ଇଞ୍ଜିନିୟରଙ୍କ ଦେଖା ନଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି(ବୁଧବାର) କାମ ଚାଲୁଥିବା ସମୟରେ WATCO ଅଧିକାରୀମାନେ ଆସିଥିବା ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ । କାମ ଚାଲିଥିବାରୁ ପଞ୍ଚସଖା ନଗରବାସୀ ଆଇଟିଇଆର ସାମ୍ନା ରାସ୍ତା ଦେଇ ଖଣ୍ଡଗିରି ପୋଖରୀପୁଟ ମୁଖ୍ୟ ରାସ୍ତାକୁ ବାହାରୁଥିଲେ । କିନ୍ତୁ ଏବେ ଡିଏନ୍ ରେଗାଲିଆ ଦେଇ ଖଣ୍ଡଗିରିକୁ ଆସିବା ପାଇଁ ୭କିମି ବୁଲି ଯିବାକୁ ପଡୁଛି । ଆଉ ଏଭଳି ସ୍ଥିତିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଧିକାରୀମାନଙ୍କୁ ସେହି ପାଣିରେ ଚଲାଇ ଚଲାଇ ନେଉଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର