Kali Puja: ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ - Maa Bhadrakali

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 16, 2023, 3:19 PM IST

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ପଞ୍ଚମ ଦିନ । ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ଜଗଦ୍ଧାତ୍ରୀ ବେଶ ଦର୍ଶନ ପାଇଁ ସକାଳ ପରଠୁ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି  । ସକାଳେ ପହଡ ଖୋଲିବା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ବିଧି ବିଧାନ ଅନୁଯାୟୀ ଯଥା ରୀତି ମାଆଙ୍କର ପୂଜାର୍ଚ୍ଚନା ଚାଲିଛି । ଜଗଦ୍ଧାତ୍ରୀ ବେଶରେ ମାଆଙ୍କର ଆଜି ବାଘ ବାହନ ଥିବାବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣରେ ସଜ୍ଜିତ ହୋଇଛି । ନାଲି ପାଟବସ୍ତ୍ର ପରିଧାନ ସହ ସ୍ବର୍ଣ୍ଣ ରୌପ୍ୟ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ମାଆ ଭଦ୍ରକାଳୀ । ହସ୍ତରେ ଶଙ୍ଖ, ଚକ୍ର, ଗଦା, ଖଡ୍‌ଗ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଦର୍ଶନ ଦେଉଛନ୍ତି । ମାଆ ଭଦ୍ରକାଳୀଙ୍କ ପୀଠରେ ଚଣ୍ଡୀପାଠ, ଯଜ୍ଞ, ହୋମ ଆଦି ଚାଲିଛି । 

ଏହାମଧ୍ୟ ପଢନ୍ତୁ: ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନ, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମାଆ

ଆଦ୍ୟାଶକ୍ତି ମାଆ ଭଦ୍ରକାଳୀ ସକଳ ଶକ୍ତିର ଅଧିକାରିଣୀ, ଜଗତ୍ ଜନନୀ । ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ନିହିତ ଅଛି ।  ଜଗଦ୍ଧାତ୍ରୀ ବେଶରେ ମାଆଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ବାସ ରହିଛି । ସେଥିପାଇଁ ମାଆଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଏହି ପୁରାତନ ଶକ୍ତି ପୀଠ ଭଦ୍ରକାଳୀ ମନ୍ଦିରରେ । ଆସନ୍ତାକାଲି(ଶୁକ୍ରବାର) ମାଆ ପଦ୍ମାସନା ହଂସ ବାହନରେ ମହାସରସ୍ବତୀ ବେଶରେ ଦର୍ଶନ ଦେବେ । ଶନିବାର ତଥା ଶେଷ ଦିନରେ ମାଆଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହେବ  ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.