ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
🎬 Watch Now: Feature Video
ଦେବଗଡ: ସମଗ୍ର ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଉ ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସେହିଭଳି ଦେବଗଡ଼ ଜିଲ୍ଲାରେ ମଧ୍ୟ ଲାଗି ରହିଛି ଲଗାଣ ବର୍ଷା । ଏନେଇ ଜନଜୀବନ ଅସ୍ତବ୍ୟସ୍ତ । ଅନ୍ୟପଟେ ବର୍ଷା ଫଳରେ କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ବିଳମ୍ବରେ ହେଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଜିଲ୍ଲାରେ ୮ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି । ଦେବଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘରେ ପଶି ଯାଇଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରକୋଟ ବ୍ଲକ ଅନ୍ତର୍ଗତ ବଲମ - ଟୁସୁଲା ରାସ୍ତାରେ ଥିବା ମତୁଆଳି ନାଳର ପୋଲ ଉପରେ ପାଞ୍ଚଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ସେହିପରି ବାରକୋଟ ବ୍ଲକର ସଇଡା ଠାରୁ ଲାଳାପଶି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଓ ପୋଲ ବର୍ଷାରେ ଧୋଇଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଠଖଣ୍ଡ ଗାଁ ର ଲୋକେ ଯାତାୟତରେ ଅସୁବିଧା ଭୋଗୁଛନ୍ତି । ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଆଗାମୀ ଦିନରେ ଲଗାଣ ବର୍ଷା ଲାଗି ରହିଲେ ଜିଲ୍ଲାରେ ସମସ୍ୟା ଅଧିକ ଜଟିଳ ହେବାର ସମ୍ଭାବନା ରହିଛି ।
ଇଟିଭି ଭାରତ, ଦେବଗଡ