କଟକର ପ୍ରଥମ ମେୟରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଦୁଃଖ, ଶେଷ ଦର୍ଶନ କଲେ ମେୟର - who is First mayor of Cuttack
🎬 Watch Now: Feature Video
କଟକ: କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ ଆଉ ନାହାନ୍ତି । ଗୁରୁବାର ସନ୍ଧ୍ୟାରେ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ନିବେଦିତା ପ୍ରଧାନ ଓଡ଼ିଶାର ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ଥିଲେ । ତାଙ୍କର ବିୟୋଗରେ ମ୍ରିୟମାଣ ହୋଇପଡିଛି ପୁରା କଟକ ସହର । ମେୟର ସୁବାସ ସିଂହଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଯାଏଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କଟକବାସୀଙ୍କ ପାଇଁ ତାଙ୍କର ଜନସେବା କାର୍ଯ୍ୟଗୁଡିକ ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
୧୯୬୩ ମସିହା କଟକର ମହତାବ ରୋଡ଼ରେ ନିବେଦିତା ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟିର ବିଧାୟକା ରହିଥିଲେ । କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୩ରୁ ୨୦୦୮ ଯାଏଁ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ଦିନ ଧରି ରୋଗାଗ୍ରସ୍ତ ଥିଲେ । ଶେଷରେ ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ରାଜନୈତିକ ଦଳର ଶତାଧିକ କର୍ମୀ, ବହୁ କଟକ ବାସିନ୍ଦା ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।
ଇଟିଭି ଭାରତ, କଟକ