thumbnail

By

Published : Aug 12, 2023, 4:58 PM IST

ETV Bharat / Videos

Digital Dialogue: ଚନ୍ଦ୍ରାୟନ-2ର ଭୁଲ ଚନ୍ଦ୍ରାୟନ-3ରେ ହେବ ନାହିଁ: ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ବର: ଚନ୍ଦ୍ରାୟନ-2ରୁ ଭୁଲ ଚନ୍ଦ୍ରାୟନ-3ରେ ହେବ ନାହିଁ ।  ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ଏବେ ଭାରତ କାହିଁକି ସାରା ବିଶ୍ବର ନଜର ଅଟକିଛି ଚନ୍ଦ୍ରାୟନ-3ର ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ ଉପରେ । ଇସ୍ରୋର କହିବା ହେଲା ଚନ୍ଦ୍ରାୟନ-2ରେ ଯେଉଁ ସବୁ ତ୍ରୁଟି ପରିଲକ୍ଷିତ ହୋଇଥିଲା ଚନ୍ଦ୍ରାୟନ-3ରେ ସେ ସବୁ ଭୁଲକୁ ସୁଧାରି ଦିଆଯାଇଛି । ତେଣୁ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବାକୁ ଯାଉଛି। 

ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି  ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଶୁଭେନ୍ଦୁ କହିଛନ୍ତି, "ଲ୍ୟାଣ୍ଡିଂର ଶେଷ 13 ମିନିଟ ସମୟରେ ଚନ୍ଦ୍ରାୟନ 2ର ଲ୍ୟାଣ୍ଡିଂ ସମୟରେ ଯୋଗସୁତ୍ର କଟିଥିଲା । ଫଳରେ ବେଗ ନିୟନ୍ତ୍ରଣ ହୋଇନପାରି କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । କିନ୍ତୁ ଚନ୍ଦ୍ରାୟନ-3 କ୍ଷେତ୍ରରେ ଗୋଡ ଗୁଡିକୁ ଅଧିକ ଶକ୍ତିଶାଳି କରାଯାଇଛି । ଅଧିକ ସେନସର ବ୍ୟବହାର କରାଯାଇଛି । ସଫ୍ଟଓ୍ୱେରକୁ ଅଧିକ ବିକଶିତ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ । ନିଜେ ନିଜର ସ୍ଥାନ ନିରୁପଣ କରିବା ସହିତ ବେଗ କମାଇପାରିବ । ଧୀରେ ଧୀରେ ଲ୍ୟାଣ୍ଡିଂ କରିବାରେ ସଫଳ ହେବ ।"

ଏହାସହିତ ସେ ପୁଣି କହିଛନ୍ତି ଯେ ଉନ୍ନତ ଜ୍ଞାନ କୌଶଳ ଯୋଗୁଁ ଏହା ସମ୍ଭବ ହେବ । ଲ୍ୟାଣ୍ଡରରେ ଶକ୍ତିଶାଳୀ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇଥିବାରୁ ଏହା ଚନ୍ଦ୍ରର ଫଟୋ ପଠାଇପାରୁଛି । ନିକଟରେ ପୃଥିବୀର ଫଟୋ ମଧ୍ୟ ପଠାଇଛି । ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ ହେବା ପରେ ଅଗଷ୍ଟ 23 ତାରିଖ ପରଠାରୁ 14 ଦିନ ପର୍ଯ୍ୟନ୍ତ ଏହା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ପାଇ ଅଧିକ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ । ଚନ୍ଦ୍ରାୟନ-3 ସଫଳତାର ସହିତ ଲ୍ୟାଣ୍ଡିଂ କଲେ ଭାରତ ବିଶ୍ବରେ ଏହି ସଫଳତା ପାଇବାରେ ହେବ ଚତୁର୍ଥ ରାଷ୍ଟ୍ର । କିନ୍ତୁ ଦକ୍ଷିଣ ମେରୁରେ ପାଦ ଥାପିବାରେ ହେବ ପ୍ରଥମ ରାଷ୍ଟ୍ର ହେବ । କିନ୍ତୁ ଏହାରି ଭିତରେ ଋଷ ଲୁନା-25 ପଠାଇଛି । ଯାହାକି ଚନ୍ଦ୍ରାୟନ-3 ଲ୍ୟାଣ୍ଡିଂ କରିବାର 2 ଦିନ ପୂର୍ବରୁ ଲ୍ୟାଣ୍ଡିଂ କରିବ । ଯଦି ଋଷର ଅଭିଯାନ ସଫଳ ହୁଏ ତେବେ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ଭାରତ ଦ୍ବିତୀୟ ରାଷ୍ଟ୍ର ହେବ । ଚନ୍ଦ୍ରୟାନ-3 ପଠାଇ ଭାରତ ପ୍ରମାଣିତ କରିଛି ଯେ ମହାକାଶ କ୍ଷେତ୍ରରେ ଭାରତ ଏକ ବିକଶିତ ରାଷ୍ଟ୍ର । ଆଗକୁ ଭାରତର ବିଦେଶୀ ପୁଞ୍ଜି ମଧ୍ୟ ବଢିବାକୁ ଯାଉଛି । କାରଣ ଏକ ତୃତୀୟାଂଶ ଅର୍ଥ ଖର୍ଚ୍ଚରେ ଭାରତ ଏସବୁ ଅଭିଯାନ କରିପାରୁଛି । ଆଗାମୀ 10ବର୍ଷ ମଧ୍ୟରେ ବିଭିନ୍ନ ଦେଶର 25ହଜାର ଉପଗ୍ରହ ଭାରତ ନିଜସ୍ବ ଜ୍ଞାନ କୌଶଳରେ ପଠାଇବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି । ଦେଖନ୍ତୁ  ସମ୍ପୂର୍ଣ୍ଣ ସାକ୍ଷାତକାର । 

ସାକ୍ଷାତକାର ଲାଲ ମୋହନ ପଣ୍ଡା,  ବ୍ୟୁରୋ ଚିଫ୍, ଇଟିଭି ଭାରତ ଓଡିଶା  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.