thumbnail

By ETV Bharat Odisha Team

Published : Oct 25, 2023, 9:21 PM IST

ETV Bharat / Videos

ଦେବୀ ସିଂହାସନୀ ପୀଠରେ ଡଙ୍ଗର ଯାତ୍ରା ପାଳିତ

ବୌଦ୍ଧ : ଶେଷ ହୋଇଛି ମା' ଦୁର୍ଗାଙ୍କର ଦଶହରା ଯାତ୍ରା । ଏନେଇ ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଆରାଧ୍ୟ ଦେବୀ ସିଂହାସନୀ ପୀଠରେ ଆଜି ଡଙ୍ଗର ଯାତ୍ରା ତଥା ଦଶହରା ଯାତ୍ରା ସମ୍ପନ୍ନ ହୋଇଛି । ଜିଲ୍ଲାର ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଆଜି ଏକାଦଶୀ ତିଥିରେ ସିଂହାସନୀ ଠାକୁରାଣୀଙ୍କ ଏଭଳି ପ୍ରାଚୀନ ପାରମ୍ପାରିକ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଡଙ୍ଗର ଯାତ୍ରା ସମ୍ପନ୍ନ ହୋଇଛି । ବିଭିନ୍ନ ଜିଲ୍ଲାର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଦେବୀ ସିଂହାସନୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ପୀଠର ଅନେକ ଅଲୌକିକ ଶକ୍ତି ରହିବା ସହ ଏହି ପୀଠ ସମ୍ପର୍କରେ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ବରପଦର ଗ୍ରାମରେ ଶହ ଶହ ବର୍ଷ ଧରି ପୂଜା ପାଉଛନ୍ତି ଦେବୀ ସିଂହାସନୀ । ଯାହାଙ୍କୁ ମାହେଶ୍ୱରୀ ନାମରେ ନାମିତ କରି ଉଭୟ ନାମରେ କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ପୂଜାର୍ଚ୍ଚନା କରିଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ସାହାଜଖୋଲରେ ଆଦିବାସୀ ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

କିମ୍ବଦନ୍ତୀ ଅନୁସାରେ, ଖେମୁଣ୍ଡି ରାଜ୍ୟକୁ ଯୁଦ୍ଧରେ ପରାସ୍ତ କରି ବୌଦ୍ଧ ରାଜ୍ୟର ରାଜା ଗନ୍ଧମାର୍ଦ୍ଦନ ଦେବ, ଦେବୀ ସିଂହାସନୀଙ୍କୁ ନିଜ ରାଜ୍ୟକୁ ଆଣିଥିବା ବିଶ୍ଵାସ କରାଯାଏ । ଏହି ଶକ୍ତିପୀଠରେ ଦେବୀଙ୍କୁ ସିଂହାସନୀ ଓ ମାହେଶ୍ୱରୀ ଦୁଇ ନାମରେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର କନ୍ଧ ସମ୍ପ୍ରଦାୟର ସେବାୟତମାନେ ପୂଜାର୍ଚ୍ଚନା କରିଥାନ୍ତି । ଦେବୀଙ୍କ ନିକଟରେ କୌଣସି ରନ୍ଧା ଭୋଗ ଲାଗି ନହୋଇ କେବଳ କଞ୍ଚା ସାମଗ୍ରୀ ଭୋଗ ଲାଗି ହୋଇଥାଏ । ଏହା ବ୍ୟତାତ ଏଠାକାର ମୁଖ୍ୟ ଆକର୍ଷଣ ଦେବୀଙ୍କ ସ୍ବର୍ଣ୍ଣ ନିର୍ମିତ ଚନ୍ଦ୍ରହାସିନୀ ଖଣ୍ଡା । ଯେଉଁ ଖଣ୍ଡା ବର୍ଷ ତମାମ ଏକ ସ୍ବତନ୍ତ୍ର ସ୍ଥାନରେ ପୋତା ହୋଇ ରହିଥିବା ବେଳେ ଡଙ୍ଗର ଯାତ୍ରା ଦିନ ଉକ୍ତ ଖଣ୍ଡାକୁ ମାର୍ଜଣା କରାଯାଇ ଦେବୀଙ୍କ ନିକଟରେ ପୂଜା କରାଯାଇଥାଏ । ବରପଦର ଠାରେ ଦେବୀ ସିଂହାସନୀଙ୍କ ପୀଠରେ ଦଶହରା ଯାତ୍ରା ଅନୁଷ୍ଠିତ ହେବା ପରେ ଦେବୀଙ୍କ ମୂଳପୀଠରେ ଡଙ୍ଗର ଯାତ୍ରା ଅନୁଷ୍ଠିତ ହୁଏ ।  ପରେ ମାନସିକଧାରୀମାନେ ଏଠାରେ ବଳି ପ୍ରଦାନ କରିଥାନ୍ତି ।  

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.