Rathakhala Halchal: ତିନିରଥର ମୋଟ ୪୨ ଚକରୁ ୩୮ ଚକ ନିର୍ମାଣ ଶେଷ

By

Published : May 17, 2023, 5:18 PM IST

thumbnail

ପୁରୀ: ପାଖେଇ ଆସିଲାଣି ମହାବାହୁଙ୍କ ଘୋଷଯାତ୍ରା । ଭାଇ  ଭଉଣୀଙ୍କୁ ନେଇ  ମାଉସୀ ଘରକୁ ଯିବେ  କାଳିଆ ସାଆନ୍ତେ। ଏଥିପାଇଁ ଶ୍ରୀକ୍ଷେତ୍ର ରଥଖଳାରେ  ଦ୍ରୁତଗତିରେ ନିର୍ମାଣ ଚାଲିଛି ଶ୍ରୀଜୀଉଙ୍କ ତିନି ରଥ। ସମସ୍ତ ସେବାୟତ ମାନେ ନୀତି ନିୟମ ଆଧାରରେ ରଥ ନିର୍ମାଣରେ ନିମଗ୍ନ । ମୋଟ ୪୨ ଚକରୁ ୩୮ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ତିନିରଥର ୫ ଟି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ବଜ ରଥର ୨ ଟି , ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଗୋଟିଏ ଲେଖାଁଏ ପଡିନାହାକା ଅଖ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ମୋଟ ୧୪ ଗୋଟି ଚକରୁ ୧୨ ଟି ଚକର ନିର୍ମାଣ ଶେଷ ହୋଇ ବାକି ଦୁଇଗୋଟି ଚକର ତୂମ୍ବରେ ଅର ସଂଯୋଗ ସହ ଅରରେ କଣ୍ଟା ବାଡ଼ିଆ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ଗୋଟିଏ ନାହାକା ଅଖ ନିର୍ମାଣ ପୂର୍ବରୁ ଶେଷ ହୋଇଥିଲା। ଆଜି ତାଳଧ୍ବଜ ରଥର ଦୁଇଟି ପଡି ନାହାକା ଗୋଟିଏ ଗୋଟିଏ ବଡ ଉଛଳା ଏବଂ ସାନ ଉଛଳା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ଵଜ ରଥର ୮ ଗୋଟି ଚଉତା କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା ।  ଆଜି ବାକି ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ସେହିପରି ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକରୁ ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଶେଷ ଚକଟିର ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ ଠାରେ ସିଙ୍ଗଡା ବାଡିଆ କାର୍ଯ୍ୟ ଭୋଇ ସେବକ ମାନେ ଶେଷ କରିଛନ୍ତି । ଦର୍ପଦଳନ ରଥର ଦୁଇଟି ନାହାକା ଅଖ ନିର୍ମାଣ ଶେଷ ହେବା ସହ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ଦର୍ପଦଳନ ରଥର ୪ଗୋଟି ନିରାଡିରୁ ୨ ଗୋଟି ୨୦ଫୁଟିଆ ନିରାଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥିସହ ୧୨ ଗୋଟି ଚଉତା କାଠରୁ ୮ ଟି ର ଚଉପଟ ସାରି ବାକି ୪ ଗୋଟି ଚଉତର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୧୫ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ଶେଷ ଚକ ତୂମ୍ବରେ ଅର ସଂଯୋଗ ପରେ ଯନ୍ତାଗାଡ ଠାରେ ସିଙ୍ଗଡା ବାଡିଆ ବା ତୁମ୍ବ ଅରରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ଦୁଇଟି ନାହାକା ଅଖ ଏବଂ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି । ଏଥିସହ ୪ ଗୋଟି ନିରାଡି ରୁ ୨ ଗୋଟି ନିରାଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୨ଗୋଟି ଚଉତା କାଠ ରୁ ୧୦ ଗୋଟି ଚଉତର ଚଉପଟ ସରି ଶେଷ ଦୁଇଟିର ଚଉପଟ ଜାରୀ ରହିଛି । ତିନିରଥର ରୂପକାର ସେବକ ମାନେ ତିନିରଥ ର ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପ ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । କରତି ସେବକ ମାନେ ତାଳଧ୍ବଜ ରଥର ଗୋଟିଏ ୨୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.