ଗଡ଼ିଲା ବିଶ୍ୱର ବୃହତ୍ତମ ରଥ, ପ୍ରଥମ ଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା - nandighosha in keonjhar tallest chariot
🎬 Watch Now: Feature Video
କେନ୍ଦୁଝର: ଆଜି ବିଶ୍ୱ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଘୋଷଯାତ୍ରା ପାଇଁ ସବୁ ଦେବସ୍ଥାନ ଲୋକାରଣ୍ୟ ପାଲଟିଥିବା ଦେଖିବାକୁ ମିଳିଥିଲା । ପୁରୀରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ମଧ୍ୟ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରୁଣା ସହରର ବଡ଼ଦାଣ୍ଡରେ ଏହି ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ସକାଳୁ ଆଦ୍ୟପୂଜା ପରେ ପ୍ରଥମେ ଶ୍ରୀଜୀଉଙ୍କ ଆଦ୍ୟ ସେବକ କେନ୍ଦୁଝର ମହାରାଜା ପୁଷ୍ପାଞ୍ଜଳି ଦେଇଥିଲେ। ପରେ ଶ୍ରୀ ଜୀଉଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବଳଦେବଜୀଉ, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଧାଡି ପହଣ୍ଡି କରି ମାନ୍ୟତା ପାଇଥିବା ବିଶ୍ୱର ବୃହତ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା ।
ମହାରାଜାଙ୍କ ଛେରାପହଁରା ନୀତି ପରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଭକ୍ତ ମାନେ ବଡ଼ ଆନନ୍ଦ ଉଲ୍ଲାସର ସହ ରଥକୁ ବଡ଼ଦାଣ୍ଡରେ ଟାଣି ନେଇ ମାଉସୀ ମା'ଙ୍କ ମନ୍ଦିରରେ ଛିଡ଼ା କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦଉଡି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମହିଳାମାନେ ଏହି ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରିଥିବାବେଳେ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ରଥଯାତ୍ରା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପ୍ରଥମଥର ପାଇଁ ଚଳିତଥର ମହିଳା ଭକ୍ତଙ୍କୁ ରଥଟଣା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ପ୍ରଥମ ଓ ଦ୍ୱିତୀୟ କର୍ଡନକୁ ସମ୍ପୂର୍ଣ୍ଣ କଟକଣାରେ ରଖାଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା । ସେହିଭଳି ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ଚଳିତ ଥର ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡଦାଣ୍ଡକୁ ସିସିଟିଭି ସଂଯୋଗ କରାଯାଇ ତୀକ୍ଷ୍ଣ ନଜର ରଖାଯାଇଥିଲା। ଏଥିସହ ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ସୁନାବେଶ ପର୍ଯ୍ୟନ୍ତ ୧୦ ଦିନବ୍ୟାପୀ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।
ଏହାସହ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ମହିଳା ଭକ୍ତଙ୍କ ନିମନ୍ତେ ସ୍ବତନ୍ତ୍ର ରଥଟଣା ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ନିମନ୍ତେ ଏସ . ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫୫ଜଣ ଅଧିକାରୀ ଓ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଚର୍ଚ୍ଚ ଛକ ଠାରୁ ଯାନବାହନ ଚଳାଚଳକୁ ବାରଣ କରାଯାଇ ଜେଲଗୋଡି ଛକ ଦେଇ ନୂଆ ବସ୍ ଷ୍ଟାଣ୍ଡ, ବେଦ ବିଶ୍ବବିଦ୍ୟାଳୟ, ହୁଡକୋ କଲୋନୀ , ଶିକ୍ଷାକେନ୍ଦ୍ର ଶ୍ରୀଗଣେଶ ଢେଙ୍କାପୁରରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର