ଝାରସୁଗୁଡା ଉପନିର୍ବାଚନ ହାରିବା ସୁନିଶ୍ଚିତ ଜାଣି ହିଂସା ଭିଆଉଛି ବିଜେପି: ବିଜେଡି
🎬 Watch Now: Feature Video
ଭୁବନେଶ୍ବର: ଝାରସୁଗୁଡାରେ ହାରିବା ସୁନିଶ୍ଚିତ ଜାଣି ବିଜେପି ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ । ବିଜେପିର ଗୁଣ୍ଡାଗିରି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ତୁରନ୍ତ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି ପ୍ରତିନିଧି ଦଳ । କାର୍ଯ୍ୟାନୁଷ୍ଠାନ ନେଇ ସିଇଓ ନିର୍ଭର ପ୍ରତିଶ୍ରୁତି ଦେଇଥିବା ବିଜେଡି କହିଛି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ବିଜେପିର ଦୁଇଟି ଅସ୍ତ୍ର ଅଛି । ଗୋଟିଏ ହେଉଛି ମିଛ, ଅନ୍ୟଟି ହେଉଛି ହିଂସା । ପ୍ରଚାର ଓ ଅନ୍ୟ ସମୟରେ ବିଜେପି ମିଛର ସାହାରା ନିଏ । ଗୁଡ଼ାଏ ଏଣୁ ତେଣୁ ମିଥ୍ୟା ପ୍ରଚାର କରେ । ଯାହା ଅତୀତରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ଦେଖିବାକୁ ମିଳିଛି । ଏଥିରେ ବିଫଳ ହେଲେ ବିଜେପି ହିଂସାର ଆଶ୍ରୟ ନିଏ । ଗତକାଲି କୋଲାବିରା ବ୍ଲକରେ ବିଜେଡି କର୍ମୀ ଗୋବିନ୍ଦ ଝରାଙ୍କୁ ବିଜେପି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ପ୍ରଚାର ସମୟରେ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ବିଜେପି ନେତା ଓ କର୍ମୀ । ନିର୍ବିବାଦୀୟ ନିର୍ବାଚନ କରିବା ଲାଗି ନିର୍ବାଚନ ଅଧିକାରୀ ଚେଷ୍ଟା କରୁଛନ୍ତି । ପ୍ରସ୍ତୁତି ବୈଠକରେ ଅବାଧ ନିର୍ବାଚନ ହେବାରେ ସହଯୋଗ କରିବେ ବୋଲି ସବୁ ଦଳ ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ହେଲେ ହାରିବେ ବୋଲି ଜାଣି ଏହି ସମୟରେ ବିଜେପି ଏଥିରେ ବ୍ୟାଘାତ ସୃଷ୍ଟି କରୁଛି । ବିଜେପୁର, ପଦ୍ମପୁର, ବ୍ରଜରାଜନଗରରେ ଯେପରି ହିଂସ୍ର ଆଚରଣ କରିଥିଲେ, ବିଜେପି ପୁନର୍ବାର ଏଠାରେ ହିଂସା କରୁଛି ।" ଏନେଇ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ବାରସ୍ଥ ହୋଇଛି । ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଲୋରା ମହାପାତ୍ର, ମଧୁସ୍ମିତା ନାୟକ, ଡକ୍ଟର ପ୍ରିୟବ୍ରତ ମାଝି ଓ ତୁମ୍ବନାଥ ପଣ୍ଡା ସିଇଓଙ୍କୁ ଭେଟିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର