thumbnail

By ETV Bharat Odisha Team

Published : Aug 26, 2023, 10:59 PM IST

ETV Bharat / Videos

ଚମକ ହରାଇବ ପାରାଦ୍ୱୀପ ବିଶ୍ୱକର୍ମା ପୂଜା

ଜଗତସିଂହପୁର: ପ୍ରସିଦ୍ଧ ପାରାଦ୍ବୀପର ବିଶ୍ବକର୍ମା ପୂଜାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ପାରାଦ୍ବୀପ ପ୍ରଶାସନ ବନ୍ଦର ପ୍ରଶାସନ ଓ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ଚଳିତ ବର୍ଷ କେତେକ ପୂଜା ମଣ୍ଡପରେ ପୂଜା ନ କରିବା ପାଇଁ ନିଷ୍ପତ୍ତି ନେଇଛିନ୍ତି । ଯାହାଫଳରେ ପାରାଦ୍ବୀପ ବିଶ୍ବକର୍ମା ପୂଜାର ଯେଉଁ ଚମକ କେତେକାଂଶରେ ମଳିନ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । କୋଭିଡ ମହାମାରୀ କାରଣରୁ ଗତ ୨୦୧୯ ରୁ ପାରାଦ୍ବୀପରେ ବିଶ୍ୱକର୍ମା ପୂଜା ବନ୍ଦ ରହିଥିଲା । ୨୦୨୨ରେ କୋଭିଡ କଟକଣା ନଥିଲେ ବି ବିଶ୍ୱକର୍ମା ପୂଜା ପାଇଁ କେତେକ ଶିଳ୍ପାନୁଷ୍ଠାନ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଗତବର୍ଷ ପୂଜା ବନ୍ଦ ରହିଥିଲା ।

ଚଳିତ ବର୍ଷ ପାରାଦ୍ବୀପ ପୋର୍ଟ ପୂଜା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାକୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ପାରାଦ୍ବୀପର ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ପୂଜା ସମ୍ପର୍କରେ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।କିନ୍ତୁ କିଛି ଶିଳ୍ପସଂସ୍ଥା ଓ ଶ୍ରମିକ ସଂଗଠନ ପୂଜା ନ କରିବାକୁ ସିଧା ସିଧା ମନା କରିଦେଇଥିବା ଖବର ମିଳିଛି । ପାରାଦ୍ବୀପର ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ମୋଟ ୨୪ ଟି ମେଢ଼ ପୂଜା ପାଇ ଆସୁଥିବା ବେଳେ ଚଳିତ ବର୍ଷ ମାତ୍ର ୯ଟି ମେଢ଼ ପୂଜାପାଇଁ ବନ୍ଦର ପ୍ରଶାସନ ନିକଟରେ ଆବେଦନ କରିଥିବା ଜଣା ପଡ଼ିଛି । ଯଦି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସେ ତେବେ ୧୪ ଟି ମେଢ଼ ପୂଜାରୁ ବାଦ ପଡିବ । ଯାହାଫଳରେ ପାରାଦ୍ବୀପ  ବିଶ୍ବକର୍ମା ପୂଜାର ଯେଉଁ ଚମକ ରହିଥିଲା ତାହା ହରାଇବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.