thumbnail

By ETV Bharat Odisha Team

Published : Nov 21, 2023, 7:48 PM IST

ETV Bharat / Videos

ଅନ୍ତଃଜିଲ୍ଲା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା; ବାଲେଶ୍ଵର ପୁଅ ଆଣିଲେ ସ୍ୱର୍ଣ୍ଣ ପଦକ

ବାଲେଶ୍ବର: କଥାରେ ଅଛି ନିଷ୍ଠାର ସହ ପରିଶ୍ରମ କଲେ ସଫଳତା ନିଶ୍ଚୟ ବାଟ କଢାଇ ନେବ । ସେମିତି ଜଣେ ଛାତ୍ର ନିଜ ପରିଶ୍ରମ ଫଳରେ ଆଜି ବାଲେଶ୍ବର ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ହେଉଛନ୍ତି ବାଲେଶ୍ଵର ଅଞ୍ଚଳର ଓମକାର ଦେବସୂର୍ଯ୍ୟ ଜେନା । ଦେବସୂର୍ଯ୍ୟ ଭୁବନେଶ୍ବରର ଏକ ଘରୋଇ କଲେଜରେ ବି-ଟେକ୍‌ ପଢ଼ୁଥିବା ବେଳେ ବକ୍ସିଂ ବା ମୁଷ୍ଟିଯୁଦ୍ଧ ପାଇଁ ତାଙ୍କର ମନ ବଳିଥିଲା । ଏଥିରେ ସେ ପ୍ରଶିକ୍ଷଣ ନେବାପାଇଁ ମନସ୍ଥ କରିଥିଲେ । ବକ୍ସିଂ ଶିକ୍ଷା ନେବାପରେ ସେ ରାଉରକେଲାର ଏକ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି ।

ଚଳିତ ମାସ ୧୬ ଏବଂ ୧୭ ତାରିଖରେ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଅନ୍ତଃଜିଲ୍ଲା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ବରରୁ ମୋଟ ୪ ଜଣ ଖେଳାଳୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୬୭–୭୧ କିଲୋଗ୍ରାମ ବର୍ଗରେ ଓମକାର ଦେବସୂର୍ଯ୍ୟ ଜେନା ଭୁବନେଶ୍ବରର ମୁଷ୍ଟି ଯୋଦ୍ଧାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ସହ ସେ ନିଜ ଜିଲ୍ଲାକୁ ଗର୍ବ ଓ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର, ସାଧାରଣ ସମ୍ପାଦକ ଅଧୀପ ଦାସ ଏବଂ ଜିଲ୍ଲା କ୍ରୀଡା ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଆସନ୍ତା ଦିନରେ ଜାତୀୟ ଖେଳ ପାଇଁ ସେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସଫଳତା ପାଇଁ ସେ ଦିନରାତି ପରିଶ୍ରମ ମଧ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେବିସି ହଟ୍‌ ସିଟ୍‌ରେ ବାଲେଶ୍ବର ପୁଅ, ଜିତିଲେ 25 ଲକ୍ଷ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.