ମନେପଡେ ସଂଗ୍ରାମର ସ୍ବର୍ଣ୍ଣାଭ ଅଧ୍ୟାୟ, ବିଶ୍ବ ଦେଖିଲା ଭାରତର ଶକ୍ତି - ଗଣତନ୍ତ୍ର ଦିବସ
🎬 Watch Now: Feature Video
ନୂଆଦିଲ୍ଲୀ: ଫରଫର ହୋଇ ଉଡୁଛି ଆର୍ଯ୍ୟବର୍ତ୍ତ ଭାରତବର୍ଷର ମୈତ୍ରୀ ରଙ୍ଗରେ ରଙ୍ଗାୟିତ ତ୍ରିରଙ୍ଗା । ସେହି ତ୍ରିରଙ୍ଗାରୁ ଝରଝର ହୋଇ ଝରୁଛି ଶାନ୍ତି, ମୈତ୍ରୀର କାହାଣୀ । ଆଉ ଗୁଞ୍ଜରିତ ହେଉଛି ଦେଶ ଭକ୍ତିର ଗୀତ । ମନେ ପଡୁଛି ସଂଗ୍ରାମର ସେହି ସ୍ଵର୍ଣ୍ଣାଭ ସ୍ମୃତି ଅଧ୍ୟାୟ, ଯାହା ପାଇଁ ଦିନେ ଝରିଥିଲା ଅନେକଙ୍କୁ ନୟନରୁ ନୀର.. ଆଉ ସ୍ମୃତି ପଟରେ ସର୍ବଦା ଅଭୁଲା ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କ କଥା, ଯାହଙ୍କ ଦେଶଭକ୍ତିର ରକ୍ତଧାରା ବହି ଆମ ହାତମୁଠାରେ ପହଞ୍ଚିଥିଲା ସ୍ବାଧୀନତା । ଦେଶକୁ ଆଲୋକିତ କରିବାକୁ ଲିଭିଯାଇଥିଲା ଅନେକ ଘରର ଦୀପ । 1947 ଅଗଷ୍ଟ 15, ଅନେକ ବୀରଙ୍କ ସଂଘର୍ଷ ଓ ବଳବାନ ପରେ ଆମେ ଦେଶକୁ ମିଳିଥିଲା ସ୍ଵାଧୀନତା । ଭାରତ ସ୍ଵାଧୀନ ତ ହେଲା, ମାତ୍ର ସ୍ବୟଂ ଚାଳିତ ହେବା ପାଇଁ ଆମପଖରେ ଥିଲା ନା ଆଇନ କାନୁନ୍ ନା କୌଣସି ବ୍ୟବସ୍ଥା । ଏଥିପାଇଁ ପ୍ରସ୍ତୁତ ହେଲା ସମ୍ବିଧାନ, ଯାହାର ପୂଜ୍ୟ ଜନକ ଥିଲେ ଡ.ଭୀମ ରାଓ ଆମ୍ବେଦକର । 26 ଜାନୁଆରୀ 1950 । ଭାରତ ସରକାରଙ୍କ ଦ୍ବାରା 1935 ଅଧିନିୟମ ରଦ୍ଦ ହୋଇ ଲାଗୁହେଲା ସମ୍ବିଧାନ । ଆଉ ଏହିଦିନ ଆମେ ଚାଖିଥିଲେ ପୂର୍ଣ୍ଣ ସ୍ବାଧୀନତାର ସ୍ବାଦ । ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦେଶକୁ ପୂର୍ଣ୍ଣ ସ୍ଵାଧୀନତା ମାନ୍ୟତା ଦେବାର ଅଭିଯାନ । 26 ଜାନୁଆରୀ 1929, ଲାହୋର କଂଗ୍ରେସ ଅଧିବେଶନରେ ଭାରତକୁ ପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବାର ପ୍ରସ୍ତାବ ଆଗତ ହେଲା ।