ହାଇଦ୍ରାବାଦ: ଜାନୁଆରୀ ୩୦ ତାରିଖ ତଥା ଆଜିର ଦିନରେ ସାରା ବିଶ୍ବରେ କୁଷ୍ଠରୋଗ ଦିବସକୁ ପାଳନ କରାଯାଉଛି । ପ୍ରତିବର୍ଷ ଏହି ତାରିଖରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବରେ ଏହି ଦିବସକୁ ପାଳନ କରାଯାଏ । ଦିନକୁ ଦିନ ବିଶ୍ବରେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୦ ତୁଳନାରେ ୨୦୨୧ରେ ନୂଆ ୧ ଲକ୍ଷ ୨୭ ହଜାର ୫୫୮ ନୂଆ କୁଷ୍ଠ ରୋଗୀ ବିଶ୍ବରେ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତବରେ କୁଷ୍ଠ ରୋଗଟି କଣ, ଏହାର ଲକ୍ଷଣ କଣ ରହିଥାଏ ଏବଂ କିପରି ଏହାର ନିରାକରଣ କରିବା ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୧୩୯ଟି ଦେଶରେ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ୮୬୨୯ ଜଣ ଶିଶୁ ରହିଛନ୍ତି । ଶିଶୁ ଜନସଂଖ୍ୟାର ପ୍ରାୟ ୪.୪ ମିଲିୟନ ବା ୪୦ ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ କୁଷ୍ଠ ରୋଗରେ ପୀଡ଼ିତ ହୋଇଛନ୍ତି । ଏବେ ଆସନ୍ତୁ ବୁଝିବା ଏହି କୁଷ୍ଠ ରୋଗଟି କଣ ହୋଇଥାଏ ?
କୁଷ୍ଠ ରୋଗ କଣ ?
କୁଷ୍ଠରୋଗ, ହାନସେନ୍(Hansen’s) ରୋଗ ଭାବରେ ମଧ୍ୟ ଜଣାଶୁଣା । ମାଇକୋବ୍ୟାକ୍ଟେରିୟମ୍ ଲେପ୍ରା ନାମକ ଏକ ଜୀବାଣୁ ଦ୍ବାରା ସୃଷ୍ଟି ହୁଏ ଏହି ରୋଗ । ଯାହା ଧୀର ଧୀରେ ବଢିଯାଏ । WHO କହିବାନୁସାରେ ଏହି ରୋଗ ମୁଖ୍ୟତଃ ଚର୍ମ, ପେରିଫେରାଲ୍ ସ୍ନାୟୁ(ମେରୁଦଣ୍ଡ ନିକଟରେ ରହିଥିବା ସ୍ନାୟୁ), ଉପର ଶ୍ବାସକ୍ରିୟାର ପୃଷ୍ଠ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । କୁଷ୍ଠରୋଗ ଛୋଟ ବେଳୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତ ବୟସରେ କୁଷ୍ଠରୋଗ ଦେଖାଯାଏ । ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କଲେ କୁଷ୍ଠରୋଗକୁ ରୋକା ଯାଇପାରେ । କୁଷ୍ଠରୋଗୀଙ୍କ ନାକ ଏବଂ ପାଟିରୁ ବାହାରୁଥିବା ବୁନ୍ଦାର ବାରମ୍ବାର ଯୋଗାଯୋଗରେ ଆସିଲେ ଏହି ରୋଗ ସଂକ୍ରମିତ ହୁଏ ।
ଏହା ମୁଖ୍ୟତଃ ୨ ପ୍ରକାରର ହୋଇଥାଏ :-
- ପସିବସିଲାରି(Paucibacillary)- ଏଥିରେ ଚର୍ମ ହଳଦିଆ ଓ ନାଲି ପଡ଼ିଯାଏ
- ମଲ୍ଟିବସିଲାରି(Multibacillary)- ଏଥିରେ ଅନେକ ଚର୍ମ ରୋଗ ଯେପରିକି ମୋଟା ଚର୍ମ, ଚର୍ମରେ ବିରି ବିରି ହୋଇ ଫଳିବା ଭଳି ଅନେକ ରୋଗ ଦେଖାଦେଇଥାଏ ।
ରୋଗର ଲକ୍ଷଣ କଣ ?
- ଚର୍ମରେ ଛଉ ଭଳି ଦାଗ ଦେଖାଯାଏ
- ବିରି ବିରି ହୋଇ ଚର୍ମରେ ଫଳିଯାଏ
- ଚର୍ମ ମୋଟା ଓ ଶୁଷ୍କ ହୋଇଯାଏ
- ପାଦରେ ଯନ୍ତ୍ରଣା ବିହୀନ କ୍ଷତ ଦେଖାଯାଏ
- ଆଖିର ଆଇବ୍ରୋ ଓ ଆଖିପତାର ଝଡ଼ିଯାଏ
- ମାଂସପେଶୀ ଦୁର୍ବଳ ହୋଇ ପାରାଲିସିସ ହୋଇଯାଏ
- ଆଖି ସମସ୍ୟା ଦେଖାଯିବା ସହିତ ରୋଗୀ ଦୃଷ୍ଟିହୀନ ମଧ୍ୟ ହୋଇଯାଏ
- ନାକରୁ ରକ୍ତ ପଡିବା
- ନାକରୁ ସିଙ୍ଗାଣୀ ବାହାରିବା(stuffy nose)
କିପରି କରିବେ ଚିକିତ୍ସା ?
Multidrug Therapy (MDT) ବା ଔଷଧ ଦ୍ବାରା ଏହି ରୋଗ ଭଲ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସମସ୍ତ ଔଷଧକୁ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଉଚିତ । ଏଥିଲାଗି ପ୍ରାୟ ୧ ରୁ ୨ ବର୍ଷ ସମୟ ଲାଗିଥାଏ । ତେବେ କୁଷ୍ଠ ରୋଗ ଭଲ ହୋଇପାରେ । ରୋଗର ପ୍ରଥମ ଅବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ତୁରନ୍ତ ରୋଗୀ ଭଲ ହୋଇଥାଏ । ନଚେତ ପରବର୍ତ୍ତୀ ସମୟରେ ରୋଗୀକୁ ଦିବ୍ୟାଙ୍ଗ, ପାରାଲିସିସ ଓ ଦୃଷ୍ଟିହୀନ ଭଳି ସମସ୍ୟା ଦେଖାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ