ହାଇଦ୍ରାବାଦ: ଆଜି ବିଶ୍ବ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସର ଦ୍ବିତୀୟ ଶୁକ୍ରବାରକୁ ଅଣ୍ଡା ଦିବସ ଭାବେ ପାଳନ କରାଯାଏ । ଅଣ୍ଡା ପରି ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି । ଅଣ୍ଡା ଏକ ଉଚ୍ଚ ପ୍ରୋଟିନ୍ ଏବଂ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଅଟେ ଯାହା ଜଳଖିଆ ପାଇଁ ଆଦର୍ଶ ଖାଦ୍ୟ ଭାବେ ବିବେଚନା କରାଯାଏ। ବିଶେଷଜ୍ଞମାନେ କହିଛନ୍ତି ଯେ, ଜଳଖିଆରେ ଅଣ୍ଡା ଖାଇବା କେବଳ ଶରୀରର ଦୈନନ୍ଦିନ ପୁଷ୍ଟିକର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଦିନସାରା ଶରୀରରେ ଶକ୍ତି ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ବିଭିନ୍ନ ପ୍ରକାରର ଅଣ୍ଡା ସହିତ ଏହାର ଉପକାରିତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଅଣ୍ଡାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ବ ଅଣ୍ଡା ଦିବସ ଭାବେ ପାଳନ କରାଯାଏ ।
ବିଶ୍ବ ଅଣ୍ଡା ଦିବସର ଥିମ: ଏକ ଥିମକୁ ନେଇ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ । ତେବେ ଚଳିତ ବର୍ଷର ଥିମ ରହିଛି "ସୁସ୍ଥ ଭବିଷ୍ୟ ପାଇଁ ଅଣ୍ଡା"(Egg for a Healthy Future)। ଏହାର ଅର୍ଥ ଅଣ୍ଡାର କାର୍ଯ୍ୟ କରିବା କ୍ଷମତା ବା ସାମର୍ଥ ନେଇ ଲୋକମାନଙ୍କୁ ଅବଗତ କରାଇବା । ସୂଚନାଯୋଗ୍ୟ ଯେ, ଭିଏନାରେ IEC ସମ୍ମିଳନୀରେ 1996 ମସିହାରେ ବିଶ୍ୱ ଅଣ୍ଡା ଦିବସ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ଅକ୍ଟୋବର ମାସର ଦ୍ବିତୀୟ ଶୁକ୍ରବାରକୁ ବିଶ୍ବ ଅଣ୍ଡା ଦିବସ ପଆଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଅଣ୍ଡାର ଗୁଣ: ଅଣ୍ଡାରୁ ପ୍ରସ୍ତୁତ ହେଉଥିବା ଯେକୌଣସି ଖାଦ୍ୟକୁ ଜଳଖିଆ ଭାବେ ଖାଇପାରିବେ ତେଣୁ ଅଣ୍ଡାକୁ ଆଦର୍ଶ ଜଳଖିଆ ଭାବେ ବିବେଚନା କରାଯାଏ । ଦିଲ୍ଲୀର ପୋଷଣ ବିଶେଷଜ୍ଞ ଡାକ୍ତର ଦିବ୍ୟା ଶର୍ମା କହିଛନ୍ତି ଯେ, "ଅଣ୍ଡାରୁ ମିଳିଥିବା ପୋଷକ ତତ୍ତ୍ୱ ଜଣେ ବ୍ୟକ୍ତିର ଦୈନନ୍ଦିନ ଖାଦ୍ୟର ପୁଷ୍ଟିକର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ଅଟେ। ଏଥିରେ ଅଧିକ ପରିମାଣର ପ୍ରୋଟିନ୍, ଓମେଗା -3 ଫ୍ୟାଟି ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଡି' ଏବଂ ଶରୀର ପାଇଁ ଆବଶ୍ୟକ ହେଉଥିବା 13 ଭିଟାମିନ୍ ଏବଂ ମିନେରାଲ୍ସ ଅଧିକ ପରିମାଣରେ ରହିଥାଏ । ଯାହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଏହା ବ୍ୟତୀତ ଅଣ୍ଡାରେ ଆମିନୋ ଏସିଡ୍ ମଧ୍ୟ ରହିଥାଏ । ଯଦି କ୍ଯାଲୋରୀ କଥା ଦେଖିବା ତେବେ ଅଣ୍ଡାରେ ପ୍ରାୟ 80ରୁ100 ପ୍ରତିଶତ କ୍ୟାଲୋରୀ ରହିଥାଏ।
ଏହା ମଧ୍ୟ ପଢନ୍ତୁ: Bad Food Combination With Eggs: ଅଣ୍ଡା ସହ ଭୁଲରେ ଖାଆନ୍ତୁନି ଏସବୁ, ବିଗିଡିପାରେ ସ୍ବାସ୍ଥ୍ୟ
ଅଣ୍ଡା ଖାଇବାର ଫାଇଦା:
- ଡାକ୍ତର ଦିବ୍ୟା କହିଛନ୍ତି ଯେ, ଜଳଖିଆ ପାଇଁ ଅଣ୍ଡା ବିଶେଷ ଉପଯୁକ୍ତ ବୋଲି ବିବେଚନା କରାଯାଏ । କାରଣ ଅଣ୍ଡାକୁ ଖାଲି ପେଟରେ ଖାଇବା ଦ୍ବାରା ଏହା ମେଟାବୋଲିଜିମକୁ ପ୍ରୋତ୍ସାହିତ କରିଥାଏ । ଯାହାକି ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହା ବ୍ୟତୀତ, ସଠିକ ପରିମାଣରେ ଅଣ୍ଡା ଖାଇବା ଦ୍ବାରା ଆଖି ଏବଂ ହୃଦୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି କହିବା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଣ୍ଡା ।
- ଲୁଟେନ୍ ଏବଂ ଜିଆକ୍ସାଣ୍ଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଅଣ୍ଡାରେ ମିଳିଥାଏ । ଏହା କେବଳ UV ରଶ୍ମିଠାରୁ ଆଖିକୁ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ ବରଂ ଅଳ୍ପ ବୟସରେ ମୋତିଆବିନ୍ଦୁ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ଏହି ଆଣ୍ଟିଅକ୍ସିଡାଣ୍ଟ ଅନ୍ୟ କେତେକ ଆଖି ସମସ୍ୟାରୁ ରକ୍ଷା କରିବାରେ ଏବଂ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଅଣ୍ଡାରେ ଭିଟାମିନ୍ ଏ ମଧ୍ୟ ଅଧିକ ପରିମାଣରେ ରହିଥାଏ। ଯାହା ଦୃଷ୍ଟିଶକ୍ତି ପାଇଁ ସହାୟକ ହୋଇଥାଏ।
- ଅଣ୍ଡାରେ ଅଧିକ ପରିମାଣରେ ଥିବା ଭିଟାମିନ୍ ଡି' ମଧ୍ୟ ହାଡକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ଉନ୍ନତି ଆଣିଥାଏ ।
- ଅଣ୍ଡାକୁ ଓମେଗା ଫ୍ୟାଟି ଏସିଡ୍ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଇପାରେ । ଓମେଗା-3 ଫ୍ୟାଟି ଏସିଡ୍ ରକ୍ତରେ ଟ୍ରାଇଗ୍ଲାଇସରାଇଡ୍ ସ୍ତରକୁ ହ୍ରାସ କରିଥାଏ । ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
- ଅଣ୍ଡାରେ ମୋନୋ ଏବଂ ପଲିନସୁଚୁରେଟେଡ୍ ଫ୍ୟାଟ୍ ମଧ୍ୟ ମିଳିଥାଏ ଯାହା ଶରୀରରେ ଭଲ କୋଲେଷ୍ଟ୍ରଲ୍ ମାତ୍ରାକୁ ବୃଦ୍ଧି କରିଥାଏ ।
- ଅଣ୍ଡାରେ ଅନେକ ପ୍ରକାରର ଭିଟାମିନ୍ ମିଳିଥାଏ, ଯାହା ଶରୀରରେ ଥିବା ଅନ୍ୟ ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କ ବିକାଶ ପାଇଁ ସହାୟକ ହୋଇଥାଏ। ତେଣୁ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଖାଇବା ପାଇଁ ପରାମର୍ଶ ଦିଆଯାଏ । କାରଣ ଏହା ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ।
- ଅଣ୍ଡା ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ । ଏହାସହ ଏଥିରେ କ୍ୟାଲେରୀରର ମାତ୍ରା କମ ରହିଥିବା କାରଣରୁ ଏହା ଓଜନ ହ୍ରାସ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ।
- ଅଣ୍ଡାରେ କୋଲାଇନ୍ ଥାଏ, ଯାହା ସ୍ମୃତି ଏବଂ ମନୋବଳକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯାହା ଚିନ୍ତା ଏବଂ ଉଦାସୀନତା ପରି ମାନସିକ ବିକୃତିରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଉତ୍ସାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଏହା ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ଉପଯୋଗୀ ବିବେଚନା କରାଯାଏ।
ସାବଧାନତା: ଡାକ୍ତରଙ୍କ କହିବା ଅନୁସାରେ, କେତେ ଜଣଙ୍କ କ୍ଷେତ୍ରରେ ଅଣ୍ଡା ଖାଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଯାଇଥାଏ। ଏହାସହ କିଛି ଜଣଙ୍କୁ ଆଲର୍ଜି ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ଅଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହାଯାଇଛି। ଏହା ବ୍ୟତୀତ ଅଣ୍ଡାର ଅତ୍ୟଧିକ ବ୍ୟବହାର ବେଳେବେଳେ କିଛି ସମସ୍ୟା ସୃଷ୍ଟି କରିପାରେ। ସାଧାରଣତଃ ଦିନକୁ 2ରୁ3 ଟି ଅଣ୍ଡା ଖାଇବା ସାଧାରଣ ସ୍ୱାସ୍ଥ୍ୟ ଥିବା ଲୋକଙ୍କ ପାଇଁ ଆଦର୍ଶ ବୋଲି ବିବେଚନା କରାଯାଇପାରେ । କିନ୍ତୁ ଯେଉଁମାନେ ଅଧିକ ବ୍ୟାୟାମ କରନ୍ତି, ଜିମ୍ ଯାଆନ୍ତି କିମ୍ବା କ୍ରୀଡା, କୁସ୍ତି, ବକ୍ସିଂ, ସନ୍ତରଣ ଇତ୍ୟାଦି ଅଧିକ ଶରୀର ବ୍ୟାୟାମ କରନ୍ତି ସେମାନେ ଡାଏଟିସିଆନଙ୍କ ପରାମର୍ଶ ନେଇ ଅଣ୍ଡା ଖାଇବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ