କୋଲକାତା: ଦ୍ବିଭଙ୍ଗୀ ଗର୍ଭାଶୟ ଥିବା ମହିଳାଙ୍କ ହେଲା ବିରଳ ଅସ୍ତ୍ରୋପଚାର । ସମ୍ପୃକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରି ଯାଆଁଳା ଶିଶୁ ଜନ୍ମ କରାଇଛନ୍ତି ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲର ଡାକ୍ତର । ଏହାକୁ ଚିକିତ୍ସା ଜଗତରେ ବିରଳ ଘଟଣା ବୋଲି କୁହାଯାଉଛି । ଖବର ଅନୁସାରେ ପ୍ରସବ ପରେ ଉଭୟ ମାଆ ଓ ଯାଆଁଳା ଶିଶୁ ସୁସ୍ଥ ଏବଂ ନିରାପଦ ଅଛନ୍ତି ।
ଦ୍ବିଭଙ୍ଗି ବା ଦ୍ବିପାକ୍ଷିକ ଗର୍ଭାଶୟକୁ ବିଜ୍ଞାନ ଭାଷାରେ ବାଇକୋର୍ନୁଏଟ୍ ୟୁଟେରସ୍ କୁହାଯାଏ । ବାଇକର୍ନୁଏଟ୍ ଗର୍ଭାଶୟ ହେଉଛି ଏକ ଗର୍ଭାଶୟ ବିକୃତି ଯାହା ମଲେରିଆନ୍ ଡକ୍ଟର ମିଶ୍ରଣରେ ଦୁର୍ବଳତା ହେତୁ ଉତ୍ପନ୍ନ ହୁଏ । ବାଇକର୍ନୁଏଟ୍ ଗର୍ଭାଶୟ ଏକ ବିରଳ ଅନୋମାଲିୟା, କିନ୍ତୁ ଏହା ଖରାପ ପ୍ରଜନନ ଫଳାଫଳ ସହିତ ଜଡିତ । ଏହି ସମସ୍ୟା ଥିଲେ ବାରମ୍ବାର ଗର୍ଭଧାରଣ ସମ୍ଭବପର ହୋଇପାରେ ନାହିଁ, ଏହାସହ ଲେବର୍ ପେନ୍ ମଧ୍ୟ ଅଧିକ ହୋଇଥାଏ । ତେବେ ଏଠାରେ କହିରଖୁଛୁ ଯେ, ମଲେରିଆନ୍ ଡକ୍ଟ(MD) ହେଉଛି ଏକ ଭ୍ରୁଣ ଗଠନ, ଯାହା ମହିଳା ପ୍ରଜନନ ଟ୍ରାକ୍ଟରେ ବିକଶିତ ହୁଏ ।
ଗର୍ଭଧାରଣରେ ଏକାଧିକ ସମସ୍ୟା ଥିବା ସତ୍ତ୍ବେ ସମ୍ପୃକ୍ତ ମହିଳାଙ୍କର ସଫଳ ଅସ୍ତ୍ରୋପଚାର ବାସ୍ତବରେ ପ୍ରଶଂସନୀୟ । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ଏଭଳି 17 ଟି ମାମଲା ରେକର୍ଡ କରାଯାଇ ଥିବାବେଳେ ଏହାକୁ ମିଶାଇ ଭାରତରେ ତିନୋଟି ମାମଲା ରେକର୍ଡ ହୋଇଛି । ସବୁଠୁ ବଡ କଥା ହେଉଛି ପଶ୍ଚିମବଙ୍ଗ ନଦିଆ ସ୍ଥିତ ଶାନ୍ତିପୁର ହସ୍ପିଟାଲରେ ସର୍ବାଧିକ ଦୁଇଥର ଏହି ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ମଧ୍ୟ ଶାନ୍ତିପୁର ଜେନେରାଲ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି ।
ଡାକ୍ତରମାନଙ୍କ କହିବା ଅନୁସାରେ, ନଦିଆର ନରସିଂହପୁର ଅଞ୍ଚଳର ଅର୍ପିତା ମଣ୍ଡଳଙ୍କର ଦୁଇ ଯାଆଁଳା ସନ୍ତାନ ଜନ୍ମ ହୋଇଛନ୍ତି । ସମ୍ପୃକ୍ତ ମହିଳାଙ୍କର ବାଇକୋର୍ନୁଏଟ୍ ୟୁଟେରସ୍ ଡିଜ୍ଅର୍ଡର୍ ଥିଲା । ଶାନ୍ତିପୁର ଜେନେରାଲ୍ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ପବିତ୍ର ବେପାରୀ ତାଙ୍କ ଚିକିତ୍ସା କରାଇଥିଲେ । ଡକ୍ଟର ବେପାରୀଙ୍କ ତତ୍ତ୍ବାବଧାନରେ ସୋମବାର(ଫେବ୍ରୁଆରୀ 20) ଅପରାହ୍ନରେ ଅର୍ପିତାଙ୍କର ଏକ ଅପରେସନ୍ କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସଫଳ ଅସ୍ତ୍ରୋପଚାର କରାଇଛନ୍ତି ।
ଅସ୍ତ୍ରୋପଚାର ପରେ ଡକ୍ଟର ବେପାରୀ କହିଛନ୍ତି ଯେ, ଦୁଇ ପିଲା ଏବଂ ମାଆ ସମସ୍ତେ ସୁସ୍ଥ ଅଛନ୍ତି । ଏହି ବିରଳ ଅସ୍ତ୍ରୋପଚାର ଅର୍ପିତାଙ୍କ ସ୍ବାମୀ ଜିତେନ୍ଦ୍ର ମୋଣ୍ଡାଲ ଡ. ପବିତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତରଖାନାର ଅଧୀକ୍ଷକଙ୍କ ସହ ଆନାସ୍ଥେଟିକ୍ ଏବଂ ଶିଶୁ ବିଭାଗର ଡାକ୍ତରମାନେ ସହଯୋଗ କରିନଥିଲେ ଏହା କେବେହେଲେ ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି । ଏହି ସମ୍ମାନ କେବଳ ଶାନ୍ତିପୁର ହସ୍ପିଟାଲ ପାଇଁ ନୁହେଁ ବରଂ ସମଗ୍ର ନାଦିଆ ଜିଲ୍ଲା ତଥା ପଶ୍ଚିମବଙ୍ଗର ଚିକିତ୍ସା କ୍ଷେତ୍ର ପାଇଁ ଏକ ଉପଲବ୍ଧି ବୋଲି ସେ କହିଛନ୍ତି ।