ହାଇଦ୍ରାବାଦ: ପ୍ରେମ ବିନା ମାନବ ସମାଜ ତିଷ୍ଟି ରହିବା ବୋଧହୁଏ କଷ୍ଟକର ! ଏଇ ପ୍ରେମ ଅଛି ବୋଲି ତ... ଆଜି ଦୁନିଆ ଚାଲିଛି । ଭାବ-ଆବେଗ ଭରା ମନ ଆଉ କାହା ପାଇଁ ବଞ୍ଚିବାକୁ ପ୍ରେରଣା ଯୋଗାଉଛି । ଏଇ ପ୍ରେମକୁ ଆଉ ଟିକେ ଉଜ୍ଜିବିତ କରିଦେଇଛି ଭାଲେଣ୍ଟାଇନ ଡେ' । ପୃଥିବୀର କୋଣଅନୁକୋଣରେ ପ୍ରେମ ସପ୍ତାହ ପାଳନ ସମୟରେ ଭାରତୀୟଙ୍କ ପ୍ରେମକୁ ନେଇ ଆସିଛି ଆଶ୍ଚର୍ଯ୍ୟକର ରିପୋର୍ଟ ।
ନିକଟରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ, ଭାରତୀୟମାନେ ଭର୍ଚୁଆଲ୍ ଡେଟିଂ ପ୍ରତି ଅଧିକ ଆଗ୍ରହୀ । ଏକ୍ସପ୍ଲୋରିଂ, ସପିଂ, ସାମାଜିକ ତଥା ଭର୍ଚୁଆଲ୍ କନ୍ସର୍ଟରେ ଯୋଗଦେବା ସହିତ ଭାରତୀୟମାନେ ମେଟାଭର୍ସରେ 'ଭର୍ଚୁଆଲ୍ ଡେଟିଂ' ସର୍ଚ୍ଚ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏକ ଆର୍ଥିକ ସେବା ପ୍ରଯୁକ୍ତିବିଦ୍ୟା ସଂସ୍ଥା(ଫାଇନାନ୍ସିଆଲ୍ ସର୍ଭିସ୍ ଟେକ୍ନୋଲୋଜି ଫିର୍ମ) ଅନୁଯାୟୀ, ଭାରତର ପ୍ରାୟ 60% ପୁରୁଷ ଏବଂ 48% ମହିଳା ମେଟାଭର୍ସରେ ପ୍ରାୟତଃ ଡେଟିଂ କରିବାକୁ ମନ ବଳାଉଛନ୍ତି ।
ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଯେହେତୁ ଭାରତରେ ଆରେଞ୍ଜ ମ୍ୟାରେଜ୍ ବା ପ୍ରସ୍ତାବ ବିବାହ ସାଧାରଣ ଏବଂ ଖୋଲାରେ ପୁଅ-ଝିଅଙ୍କ ମିଳାମିଶା ବା ସାକ୍ଷାତ କରିବା ସୁଯୋଗ କମ୍ ସେହେତୁ ମେଟାଭର୍ସ ଅର୍ଥାତ୍ ଅନ୍ଲାଇନ୍ ମାଧ୍ୟମରେ ଭର୍ଚୁଆଲ୍ ଡେଟିଂ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଯୁବପିଢି । କାରଣ ମେଟାଭର୍ସ ଲୋକମାନଙ୍କୁ ଭେଟିବା ଏବଂ ଏକ ରୋମାଣ୍ଟିକ୍ ପାର୍ଟନର ଖୋଜିବା ପାଇଁ ନୂଆ ସୁଯୋଗ ଦେଉଛି ।
ଏହା ମଧ୍ୟ ପଢନ୍ତୁ:- Valentine Day: ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ଦିନଟିଏ
ଅନୁସନ୍ଧାନରୁ ଆହୁରି ମଧ୍ୟ ଜଣାପଡିଛି ଯେ, ସାଏ ନେଚର୍ ଅର୍ଥାତ୍ ଲାଜକୁଳା ତଥା କୌଣସି ବ୍ୟକ୍ତିଙ୍କୁ ପ୍ରଥମ କରି ଭେଟିବାରେ ଅସହଜ ମନେ କରୁଥିବା ବ୍ୟକ୍ତି ଭର୍ଚୁଆଲ୍ ଡେଟିଂ ପ୍ଲାଟଫର୍ମକୁ ବିଶେଷ ଆକର୍ଷିତ ହେଉଛନ୍ତି । ଯଦିଓ ଭର୍ଚୁଆଲ୍ ଡେଟିଂ ବ୍ୟକ୍ତିଗତ ଡେଟିଂ ସହିତ ସମାନ ନୁହେଁ, ତଥାପି ଏହା ଲୋକମାନଙ୍କୁ ସଂଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏକ ମାର୍ଗ ପ୍ରଦାନ କରେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ମେଟାଭର୍ସ ଡେଟିଂ ଭାରତରେ ବେଶ୍ ଆଦୃତି ହୋଇଛି । ଅନ୍ଲାଇନ୍ ଡେଟିଂ ଆପ୍ ଭଳି ବିଭିନ୍ନ ପ୍ଲାଟଫର୍ମ ଯେପରିକି ମେଟାଭାଇବ୍, ମିଙ୍ଗ୍ଆଉଟ୍ ଏବଂ ସ୍ବନ୍ମି ୟୁଜର୍ସଙ୍କୁ ବିଭିନ୍ନ ପ୍ରକାର ଅଫର୍ ଦେଇଥାନ୍ତି । ଅନୁସନ୍ଧାନରେ ଦର୍ଶାଯାଇଛି ଯେ, ଭାରତରେ ଗେମିଂ, ବ୍ୟାଙ୍କିଂ, ଡେଟିଂ, ସପିଂ, ପ୍ରଡକ୍ଟ ଲଞ୍ଚ ଇତ୍ୟାଦି ବିଭିନ୍ନ ସେବା ଯୋଗାଉଥିବା ଅଧିକ ବ୍ରାଣ୍ଡ୍ ମେଟାଭର୍ସ ଭଳି ଟେକ୍ନୋଲୋଜିର ଅନୁସନ୍ଧାନ ଏବଂ କାର୍ଯ୍ୟକାରୀ କରୁଛନ୍ତି ।