ହାଇଦ୍ରାବାଦ: ଆଜିକାଲି ସମସ୍ତେ ସୁନ୍ଦର ଏବଂ ମସୃଣ ତ୍ବଚା ପାଇବାକୁ ଚାହାଁନ୍ତି । ଏଥିପାଇଁ ବଜାରରେ ମିଳିଥିବା ନାନା ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ ଅଧିକାଂଶ ବ୍ୟୁଟି ପ୍ରଡକ୍ଟରେ କିଛି ଏପରି କେମିକାଲ ବା ରାସାୟନିକ ପଦାର୍ଥ ଥାଏ, ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ଆମେ ଦୀର୍ଘ ଦିନ ଧରି ଏହିପରି ସାମଗ୍ରୀର ବ୍ୟବହାର ଜାରି ରଖିଥାଉ ତାହେଲେ ଏହା ଆମର ହରମୋନ ସିଷ୍ଟମରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହି ବ୍ୟୁଟି ପ୍ରଡକ୍ଟ ଦୀର୍ଘ ଦିନ ଧରି ବ୍ୟବହାର ଦ୍ବାରା କର୍କଟ ଭଳି ରୋଗ ହେବାର ମଧ୍ୟ ଆଶଙ୍କା ବଢାଇଥାଏ । ବିଶେଷକରି ଚର୍ମ କର୍କଟ ରୋଗର ଆଶଙ୍କା ବହୁତ ଅଧିକ ରହିଥାଏ । ଏଣୁ ବ୍ୟୁଟି ପ୍ରଡକ୍ଟକୁ ଯତ୍ନର ସହ ଏବଂ କେବଳ ସୀମିତ ପରିମାଣରେ ବ୍ୟବହାର କରିବା ଉଚିତ୍ । ନଚେତ୍ ସୁନ୍ଦରତା ପାଇଁ ପ୍ରାକୃତିକ ପଦାର୍ଥ ବ୍ୟବହାର କରିବା ଉଚିତ୍ ।
- କମ୍ପାକ୍ଟ ପାଉଡର ଏବଂ ଟାଲକମ ପାଉଡର
ବିଶେଷଜ୍ଞଙ୍କ ଅନୁସାରେ, କମ୍ପାକ୍ଟ ପାଉଡର ଏବଂ ଟାଲକମ ପାଉଡର ପରି ବ୍ୟୁଟି ପ୍ରଡକ୍ଟ ଚର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି ପାଉଡର ଗୁଡ଼ିକ ଚର୍ମର ଖାଲରେ ସହଜରେ ପ୍ରବେଶ କରି ତାକୁ ବନ୍ଦ କରିଦେଇଥାଏ । ଏହି କାରଣରୁ ଚର୍ମରେ ଅମ୍ଲଜାନର ଅଭାବ ଦେଖାଯାଏ ଏବଂ ସୁସ୍ଥ ଚର୍ମ କୋଷଗୁଡିକ ନଷ୍ଟ ହେବାକୁ ଲାଗେ । ଏହି କାରଣରୁ ଏହି ପାଉଡରଗୁଡିକ ଦୀର୍ଘ ସମୟର ଧରି ବ୍ୟବହାର କରୁଥିବା ଲୋକଙ୍କ ଚର୍ମ ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ହେବାକୁ ଲାଗେ । ଏଥିସହ କିଛି ଟାଲକମ ପାଉଡରରେ ମଧ୍ୟ ଆଜବେଷ୍ଟସ ଏବଂ ସ୍ପାଟିସ ଭଳି ରାସାୟନିକ ପଦାର୍ଥ ରହିଥାଏ । ଯାହା ଫୁସଫୁସ କର୍କଟ ଭଳି ସାଂଘାତିକ ରୋଗର କାରଣ ହୋଇପାରେ ।
- ନେଲ୍ ପଲିସ୍ ଏବଂ ନେଲ୍ ରିମୁଭର୍
ନେଲ୍ ପଲିସ୍ ଏବଂ ନେଲ୍ ପେଣ୍ଟ ରିମୁଭର୍ ପରି ସୌନ୍ଦର୍ଯ୍ୟ ସାମଗ୍ରୀରେ ମଧ୍ୟ ଅନେକ ରାସାୟନିକ ପଦାର୍ଥ ରହିଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ବିପଦଜ୍ଜନକ ଅଟେ । ଏଥିରେ ଟୋଲୁଏନ, ଫର୍ମାଲଡିହାଇଡ, ଏସିଟୋନ ପରି ରାସାୟନିକ ପଦାର୍ଥ ରହିଥାଏ ଯାହା ବିଷାକ୍ତ ଅଟେ । କେତେକ ଅଧ୍ୟୟନ ଅନୁଯାୟୀ, ଏହି କେମିକାଲ ବା ରାସାୟନିକ ପଦାର୍ଥ ଆମ ଚର୍ମ ମାଧ୍ୟମରେ ଶୋଷିତ ହୁଏ ଏବଂ ଏହା ଆମର ହରମୋନ, ଶର୍କରା ସ୍ତର ଏବଂ ଥାଇରଏଡ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ । କେବଳ ଏତିକି ନୁହେଁ ଏହା ଆଖି, କିଡନୀ ଏବଂ ସ୍ନାୟୁ ପ୍ରଣାଳୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।
- ହେୟାର(କେଶ) ରିମୁଭାଲ
ଅନେକ ହେୟାର ରିମୁଭାଲ କ୍ରିମ ବିଷୟରେ ଦାବି କରାଯାଇଥାଏ ଯେ ବିନା କୌଣସି ଯନ୍ତ୍ରଣାରେ ଶରୀରରୁ କେଶ ହଟା ଯାଇପାରିବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଏହି କ୍ରିମ ଗୁଡିକରେ ଥିବା ଥିଓଗ୍ଲାଇକୋଲିକ ଏସିଡ ଏହାକୁ ପୋଡି କେଶକୁ ବାହାର କରିଥାଏ, ଯାହା ଚର୍ମରେ ଦାଗ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହି ଏସିଡ ଗୁଡିକ ଆମେ କେଶ, ନଖ ଏବଂ ଚର୍ମକୁ ରକ୍ଷା କରୁଥିବା ପ୍ରୋଟିନଗୁଡିକୁ ମଧ୍ୟ ନଷ୍ଟ କରିଥାଏ । ଏପରି ପରିସ୍ଥିତିରେ ଯଦି ଆମେ ଏହି କ୍ରିମଗୁଡିକୁ ଅଧିକ ବ୍ୟବହାର କରୁ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର ଜାରି ରଖୁ, ତେବେ ଏହା ଆମ ଚର୍ମ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଫଳରେ ଚର୍ମ ରୋଗ, ସଂକ୍ରମଣ ଆଶଙ୍କା ବୃଦ୍ଧି ହୋଇଥାଏ । ତେଣୁ ଏହି କ୍ରିମଗୁଡିକୁ ବ୍ୟବହାର ନ କରିବା ଭଲ ।
ଏହା ମଧ୍ୟ ପଢନ୍ତୁ: ବ୍ୟୁଟି ପ୍ରଡକ୍ଟ କିଣୁଛନ୍ତି କି? ଏହି ଉପାଦାନକୁ ନିଶ୍ଚିତ ଯାଞ୍ଚ କରନ୍ତୁ
- ହେୟାର କଲର୍ ବା କେଶ ରଙ୍ଗ କରିବା
ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନିଜ କେଶରେ ସ୍ଥାୟୀ(Permanent) କେଶ ରଙ୍ଗ ପ୍ରୟୋଗ କରନ୍ତି, ସେମାନେ ବିଭିନ୍ନ ପ୍ରକାର କ୍ୟାନ୍ସର ରୋଗର ଶିକାର ହେବା ଆଶଙ୍କା ରହିଥାଏ । ବିଶେଷ କରି ବ୍ଲାଡର କ୍ୟାନ୍ସର, ସ୍ତନ କ୍ୟାନ୍ସର ଏବଂ ବ୍ଲଡ କ୍ୟାନ୍ସର ଭଳି ରୋଗର ଶିକାର ହେବାର ଅଧିକ ଆଶଙ୍କା ରହିଥାଏ । କେବଳ ଯେ ସ୍ଥାୟୀ କେଶ ରଙ୍ଗ କରୁଥିବା ଲୋକେ ନୁହଁ ବରଂ ଯେଉଁମାନେ ବି ହେୟାର ଡାଏର୍ କରନ୍ତି, ସେମାନେ ମଧ୍ୟ ଏହି ରୋଗର ଶିକାର ହୋଇପାରନ୍ତି ।
(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଦିଆଯାଇଥିବା ପଦ୍ଧତି କେବଳ ସାଧାରଣ ସୂଚନା ଉପରେ ଆଧାରିତ।)