ହାଇଦ୍ରାବାଦ: ମାତୃ ମୃତ୍ୟୁହାର ରୋକିବାକୁ ସଚେତନା ସୃଷ୍ଟି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଉଛି । ଗର୍ଭଧାରଣ କରିବା ପର ଠାରୁ ପ୍ରତି ମାସ ସ୍ବାସ୍ଥ୍ୟ ଯାଞ୍ଚ, ଶିଶୁ ଜନ୍ମ ପରେ ମାଆ ଓ ଛୁଆର ଯତ୍ନ ପାଇଁ କୋଟି କୋଟି ବ୍ୟୟ ଅଟକଳ ହେଉଛି । ହେଲେ ଜାତିସଙ୍ଘର ରିପୋର୍ଟ ଯେପରି ଏସବୁ ଯୋଜନାକୁ ଅଟ୍ଟହାସ୍ୟ କରୁଛି । କାରଣ ଜାତିସଙ୍ଘର ସଦ୍ୟତମ ରିପୋର୍ଟ କହୁଛି, ସମଗ୍ର ବିଶ୍ବରେ ପ୍ରତି 2 ମିନିଟରେ ଜଣେ ଗର୍ଭବତୀ ମହିଳା ଗର୍ଭାବସ୍ଥାରେ ଅଥବା ପ୍ରସବ ସମୟରେ ପ୍ରାଣ ହରାଉଛନ୍ତି ।
ତେବେ ଏହାର କାରଣ କଣ ହୋଇପାରେ, ଯୋଜନା ପ୍ରଣୟନ ସାଙ୍ଗକୁ ସଚେତନତା ସତ୍ତ୍ବେ ଏତେ ସଂଖ୍ୟକ ମାତୃ ମୃତ୍ୟୁ କାହିଁକି ଘଟୁଛି । ଏଥିପାଇଁ ସଚେତନତା ଅଭାବ ଦାୟୀ ହୋଇପାରେ । କାରଣ ଅଧିକାଂଶ ମହିଳା ଆଜି ମଧ୍ୟ ଗର୍ଭାବସ୍ଥାରେ କେଉଁ ଖାଦ୍ୟ ଖାଇବା ଉଚିତ୍, କିପରି ଭାବେ ନିଜର ଯତ୍ନ ନେବା ଆବଶ୍ୟକ ତାହା ଜାଣିନାହାନ୍ତି । ଏଥିପ୍ରତି କେବଳ ଗର୍ଭବତୀ ମହିଳାଙ୍କୁ ନୁହେଁ, ପରିବାରର ପ୍ରତିଟି ସଦସ୍ୟଙ୍କୁ ସଚେତନ ରହିବା ଆବଶ୍ୟକ । ଗର୍ଭାବସ୍ଥାରେ ମାଆର ଯତ୍ନ ନେଇପାରିଲେ ଏକ ସୁସ୍ଥ ଶିଶୁ ଜନ୍ମ ସହ ମାଆ ମଧ୍ୟ ସୁସ୍ଥ ରହିପାରିବ । ତେବେ କେଉଁ ଖାଦ୍ୟ ଗର୍ଭାବସ୍ଥାରେ ମାଆକୁ ସୁସ୍ଥରଖେ ଏବଂ ଏହି ସମୟରେ କେମିତି ନିଜର ଯତ୍ନ ନେବେ, ଜାଣନ୍ତୁ...
ଏହା ମଧ୍ୟ ପଢନ୍ତୁ:- ଚିନ୍ତାଜନକ ଜାତିସଙ୍ଘ ରିପୋର୍ଟ, ବିଶ୍ବରେ ପ୍ରତି 2 ମିନିଟରେ ଆଖି ବୁଜୁଛନ୍ତି ଜଣେ ଗର୍ଭବତୀ
ଡାକ୍ତରଙ୍କ ଅନୁସାରେ, ପ୍ରଚୁର ପରିମାଣରେ ପ୍ରୋଟିନ୍ ଓ ଭିଟାମିନ୍ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ । ବିଭିନ୍ନ ଭିଟାମିନ୍ ମଧ୍ୟରୁ ଭିଟାମିନ୍-ଏ ଉପାଦାନ ଥିବା ଖାଦ୍ୟ ମାଆ ଓ ଶିଶୁର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । କାରଣ ଏହା ପ୍ରସବ ପରେ ଟିସୁ ପୁନଃଗଠନ କରିବାରେ ସାହାଯ୍ୟ କରିଥାଏ । ଏହି ଉପାଦାନ ଶରୀରରେ ସୃଷ୍ଟି ହୁଏନାହିଁ । ପ୍ରକୃତିରୁ ମିଳୁଥିବା ଖାଦ୍ୟ ଉପାଦାନରେ ଗଚ୍ଛିତ ଥାଏ । ମାଂସ, ଦୁଗ୍ଧ, ମାଛ, ଅଣ୍ଡା ଏବଂ ପ୍ରୋଟିନ ଜାତୀୟ ଖାଦ୍ୟରୁ ଭିଟାମିନ୍-ଏ ମିଳିଥାଏ ।
ଅଧିକାଂଶ ଫଳ ଓ ପନିପରିବାରୁ ମଧ୍ୟ ଭିଟାମିନ୍-ଏ ମିଳେ । ବିଟା-କାରୋଟିନରେ ଭରପୂର ଫଳ ଏବଂ ପନିପରିବାଜାତୀୟ ଖାଦ୍ୟ ଭିଟାମିନ୍-ଏର ସର୍ବୋତ୍ତମ ଉତ୍ସ । କନ୍ଦମୂଳ, ପାଳଙ୍ଗ, ଗାଜର, ଭାନିଲା ଆଇସ୍କ୍ରିମ୍, ପନିର, କ୍ଷୀର, ତରଭୁଜ, ଆମ୍ବ, ଅଣ୍ଡା, ବ୍ରୋକୋଲି ଇତ୍ୟାଦିରୁ ଭିଟାମିନ୍-ଏ ମିଳିଥାଏ । ସେହିପରି ଗର୍ଭାବସ୍ଥାରେ ମଧୁମେହ, ଉଚ୍ଚ ରକ୍ତଚାପ, ଏମୋନିଆ, ସଂକ୍ରମଣ ଭଳି ଜଟିଳ ସମସ୍ୟା ଦେଖାଯାଏ । ଏସବୁକୁ ଏଡାଇବା ପାଇଁ ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ ।
ଭିଟାମିନ୍ ଓ ପ୍ରୋଟିନ ଜାତୀୟ ଖାଦ୍ୟ ଗ୍ରହଣ କରିବା ସହ ବ୍ୟାୟାମ ମଧ୍ୟ ଜରୁରୀ । ଏହା ସାଙ୍ଗକୁ ଧୂମପାନ ଓ ମଦ୍ୟପାନ କରୁଥିଲେ ଏସବୁ ଅଭ୍ୟାସଠୁ ଦୂରେଇ ରୁହନ୍ତୁ । ନଚେତ୍ ଏସବୁ କୁଅଭ୍ୟାସ ସିଧାସଳଖ ସ୍ବାସ୍ଥ୍ୟ ଓ ଜନ୍ମିତ ଶିଶୁ ଉପରେ ପଡିପାରେ । ସଚେତନ ରହିଲେ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରାଯାଇ ପାରିବ ।
Disclaimer: ଉପରିସ୍ଥ ସ୍ବାସ୍ଥ୍ୟ ଟିପ୍ସ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ଗ୍ରହଣ କରନ୍ତୁ ।