ହାଇଦ୍ରାବାଦ: ଅନ୍ୟାନ୍ୟ ଭିଟାମିନ୍, ପ୍ରୋଟିନ୍ ଓ ମିନେରାଲ୍ସ ଭଳି ଜିଙ୍କ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ । ଜିଙ୍କ୍ ଧାରଣ କରିଥିବା ଖାଦ୍ୟ ଖାଇବା ଏକ ସୁସ୍ଥ ଶରୀର ବଜାୟ ରଖିବାର ଅନ୍ୟ ଏକ ଉପାୟ । ଏହା ସଂକ୍ରମଣକୁ ରେକିବା ସହ କ୍ଷତରୁ ମଧ୍ୟ ମୁକ୍ତି ପାଇବାରେ ସାହାଯ୍ୟ କରେ । ପ୍ରୋଟିନ୍ ଏବଂ ଡିଏନ୍ଏ ଗଠନ ପାଇଁ ମଧ୍ୟ ଏହା ଜରୁରୀ । ତେବେ କେଉଁସବୁ ଖାଦ୍ୟ ଖାଦ୍ୟରୁ ଜିଙ୍କ୍ ମିଳିଥାଏ, ଏହାର ଅଭାବରେ କି କି ସମସ୍ୟା ହୁଏ ଜାଣନ୍ତୁ...
ଜିଙ୍କ୍ ଅଭାବର ପ୍ରଭାବ: ଯଦି ଆବଶ୍ୟକ ପରିମାଣରେ ଶରୀରକୁ ଜିଙ୍କ୍ ନ ମିଳିଲା, ତାହା ହେଲେ ଶିଶୁଙ୍କ ଅଭିବୃଦ୍ଧି ପ୍ରଭାବିତ ହୁଏ । ଜିଙ୍କ୍ର ଅଭାବ ହେଲେ ଯୌନ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ପୁରୁଷଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ହୋଇପଡେ । ଅନ୍ୟ ସମସ୍ୟା ମଧ୍ୟରେ ଭୋକ ନ ହେବା, ବାଳ ପତଳା ହୋଇଯିବା, ଡାଇରିଆ, ତ୍ୱଚା ଖରାପ, ଘା' ଶୀଘ୍ର ନ ଶୁଖିବ, ଓଜନ ହ୍ରାସ, ଆଖି ଓ ତ୍ୱଚାରେ ଯନ୍ତ୍ରଣା ଆଦି ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ:- World Cancer Day: କାହିଁକି ପୁରୁଷଙ୍କୁ ଷ୍ଟୋମାକ୍ କ୍ୟାନସର ବିପଦ ଅଧିକ, ଜାଣନ୍ତୁ
ଜିଙ୍କ୍ର ଫାଇଦା: ଅଧ୍ୟୟନରୁ ଜଣାପଡିଛି ଯେ, ଜିଙ୍କ ଦ୍ୱାରା ତ୍ୱଚା ଭଲ ରହେ । କୌଣସି ତ୍ୱଚା ସମସ୍ୟା ରହେ ନାହିଁ । ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ୫ ବର୍ଷରୁ କମ୍ ବର୍ଷର ପିଲାଙ୍କ ମଧ୍ୟରେ ଡାଇରିଆ ମାରାତ୍ମକ ହୋଇଥାଏ । ଜିଙ୍କ୍କୁ ଡାଏଟାରୀ ସପ୍ଲିମେଣ୍ଟ ଭାବେ ନେଲେ ପିଲାଙ୍କ ମଧ୍ୟରେ ଡାଇରିଆ ବିପଦ ହ୍ରାସ ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଜିଙ୍କ୍ ।
ଜିଙ୍କ୍ର ଉତ୍ସ: କେଉଁ ସବୁ ଖାଦ୍ୟରୁ ଜିଙ୍କ୍ ମିଳେ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ । ଏହିସବୁ ଖାଦ୍ୟ ମଧ୍ୟରୁ ଲାଲ୍ ମାଂସ ଅନ୍ୟତମ । ଏଥିରେ ଜିଙ୍କ୍ ଭରପୂର ପରିମାଣରେ ଥାଏ । ମାତ୍ର ଅତ୍ୟଧିକ ଲାଲ୍ ମାଂସ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେଣୁ ସର୍ବଦା ଏହି ମାଂସକୁ ସୀମିତ ପରିମାଣରେ ସେବନ କରିବା ଉଚିତ୍ । ତା' ସାଙ୍ଗକୁ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଲାଲ୍ ମାଂସ ଖାଇବା ସବୁଠୁ ଭଲ । ଅନ୍ୟପଟେ ସେଲ୍ ଫିସ୍, ବାଦାମ(କାଜୁ, ଆଲମଣ୍ଡ), ସିଡ୍ସ ବା ମଞ୍ଜି(କଖାରୁ, ରାଶି), ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ, ଅଣ୍ଡା, ବିନ୍ସ, ଡାଲି, ଝୁଡୁଙ୍ଗ, ଓଟ୍ସ, ପନିପରିବା(ଆଳୁ, ମଟର) ଏବଂ ଡାର୍କ ଚକୋଲେଟ୍ ଆଦିରୁ ଜିଙ୍କ୍ ମିଳିଥାଏ ।