ହାଇଦ୍ରାବାଦ: ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ(PCOS) ହେଉଛି ଏକ ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଯାହାକି ପ୍ରସବ ସମୟରେ ଦେଖାଯାଇଥାଏ । ପ୍ରତି 10 ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଏହାର ସମ୍ମୁଖୀନ ହୋଇଥାନ୍ତି । ବାସ୍ତବରେ, 40 ବର୍ଷ ବୟସ ପୂର୍ବରୁ, PCOS ଥିବା 50% ରୁ ଅଧିକ ଲୋକ ମଧୁମେହ କିମ୍ବା ପ୍ରି-ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି କାରଣରୁ ପ୍ରସବ ପରେ ଶାରୀରିକ ଓଜନ ସାଙ୍ଗକୁ କେଶ ଝଡିବା, ଋତୁସ୍ରାବରେ ଅନିୟମିତତା, ତ୍ବଚାରେ ପିମ୍ପଲ୍ସ ଆଦି ସମସ୍ୟା ଦେଖାଯାଏ । ତେବେ ନିକଟରେ ଏ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କେତେକ ବିଶେଷ ଖାଦ୍ୟ ରହିଛି, ଯାହାକୁ ସେବନ କରିବା ଦ୍ବାରା PCOS ସମସ୍ୟା ଦେଖାଯାଏ ନାହିଁ । ତେବେ କଣ ଏହିସବୁ ଖାଦ୍ୟ ଏବଂ ଡାଏଟ୍ରେ କି କି ପରିବର୍ତ୍ତନ ଆଣିବେ, ଜାଣନ୍ତୁ...
ବୋଇତାଳୁ ବା କଖାରୁ ମଞ୍ଜି: ଏହା ଏକ ଏନଜାଇମ ଧାରଣ କରିଥାଏ ଯାହାକି ଟେଷ୍ଟୋଷ୍ଟେରନର DHTରେ ରୂପାନ୍ତରକୁ ଅବରୋଧ କରେ । ଫଳରେ ବ୍ରଣ, କେଶ ଝଡିବା ଏବଂ ମୁଖରେ କଶ ସୃଷ୍ଟି ହେବା ଲକ୍ଷଣକୁ ଦୂର ହୋଇପାରେ । ବୋଇତାଳୁ ବା କଖାରୁ ମଞ୍ଜିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ, ଯାହା ହରମୋନ୍ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ସ୍ପେରମିଣ୍ଟ ଚା’: ଏକ ଅନୁସନ୍ଧାନ ଅନୁସାରେ, ଦୈନିକ 2 କପ୍ ସ୍ପେରମିଣ୍ଟ ଚା’ ପିଇବା ଦ୍ବାରା ଫ୍ରି ଏବଂ ଟୋଟାଲ୍ ଟେଷ୍ଟୋଷ୍ଟେରନ୍ ପରି ଆଣ୍ଡ୍ରୋଜେନ୍ କମ କରିବାରେ ସାହାଯ୍ୟ କରେ । ଏହାର ଲାଭ ପାଇବା ପାଇଁ ଗରମ କିମ୍ବା ଥଣ୍ଡା କରି ପିଇପାରିବେ ।
ସଲମୋନ: ଏହି ମାଛରେ ଓମେଗା-3 ଫ୍ୟାଟି ଏସିଡ ଭରପୂର ଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଖାଇବା ଦ୍ବାରା ଟେଷ୍ଟୋଷ୍ଟେରନ୍, ପ୍ରଦାହ, କୋଲେଷ୍ଟ୍ରୋଲ୍ କମ୍ ହୋଇପାରେ । ଇନସୁଲିନ୍ ପ୍ରତିରୋଧକୁ ଉନ୍ନତ କରିବା ଏବଂ ଅବଧି ନିୟନ୍ତ୍ରଣ କରିବା ପାଇଁ ଓମେଗା-3 ଫ୍ୟାଟ୍ ଏସିଡ୍ ବେଶ୍ ଉପକାରୀ ।
ଆଲମଣ୍ଡ: ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲମଣ୍ଡ ଫ୍ରି ଆଣ୍ଡ୍ରୋଜେନ୍ ଇଣ୍ଡେକ୍ସ ଏବଂ ଟେଷ୍ଟୋଷ୍ଟେରନ୍ ସ୍ତରକୁ ହ୍ରାସ କରିପାରିବେ ଯାହା ବ୍ରଣ, ମୁଖ କେଶ ଏବଂ ଅନ୍ୟାନ୍ୟ ଲକ୍ଷଣକୁ ଦୂର କରିପାରିବ ।
ଏହା ସାଙ୍ଗକୁ ହାଇ ଫାଇବର ଡାଏଟ ନିଅନ୍ତୁ । ପ୍ରଚୁର ଫଳ, ପନିପରିବା, ହୋଲ୍ ଗ୍ରେନ୍, ବ୍ରୋକୋଲି, ଫୁଲକୋବି, ବିନ୍, ଡାଲି, କନ୍ଦମୂଳ ନିୟମିତ ଖାଆନ୍ତୁ । ଦିନ ସାରା ସ୍ୱଳ୍ପ ପରିମାଣରେ ୪ରୁ ୬ ଥର ଖାଦ୍ୟ ଖାଆନ୍ତୁ । ଏହା ବ୍ଲଡ୍ ସୁଗାର ଲେବେଲରେ ସହାୟକ ହେବ । ମାଛ, ଚିକେନ କିଛି ମାତ୍ରାରେ ଖାଆନ୍ତୁ । ପ୍ରଦାହ ନିରୋଧୀ ଖାଦ୍ୟ ଓ ହଳଦୀ, ଟମାଟୋ, ପୋଇ, ଆଲମଣ୍ଡ ଓ ୱଲନଟ ଆଦି ଆହାର ଅନ୍ତର୍ଭୁକ୍ତ କରନ୍ତୁ ।
କେଉଁସବୁ ଖାଦ୍ୟରୁ ଦୂରେଇ ରହିବେ: ହ୍ୱାଇଟ ବ୍ରେଡ୍, ମଫିନ, ପାସ୍ତା, ନୁଡଲ୍ସ , ସେମୋଲନା ( ସୁଜି ), ପିଜା, ହ୍ୱାଇଟ ରାଇସ ଭଳି ଅଧିକ ମାତ୍ରାରେ ରିଫାଇନଡ୍ କାର୍ବୋହାଇଡ୍ରେଟସ ଥିବା ଖାଦ୍ୟ । ଅଧିକ ଚିନିଯୁକ୍ତ ସ୍ନାକ୍ସ ଓ ପାନୀୟ, ସୋଡା ଓ ଜୁସ, ଏନର୍ଜି ଡ୍ରିଙ୍କସ, କେକ୍, କ୍ୟାଣ୍ଡି, କୁକି, ମିଠା ଦହି ଆଦି ସେବନଠୁ ଦୂରେଇ ରୁହନ୍ତୁ । ପ୍ରକ୍ରିୟାକୃତ ଖାଦ୍ୟ, ରେଡ୍ ମିଟ୍, ହଟ ଡଗ୍ ଓ ସସ୍ରୁ ବି ଦୂରେଇ ରହନ୍ତୁ । ରିଫାଇନଡ୍ କାର୍ବୋହାଇଡ୍ରେଟ୍ ପ୍ରଦାହ, ଇନସୁଲିନ ରେସିଟାନସ୍ ସୃଷ୍ଟି କରେ ।
ଜେନେଟିକାଲି ମୋଡିଫାଏଡ୍ ଖାଦ୍ୟରୁ ଦୂରେଇ ରହନ୍ତୁ । ପକୋଡା, ପୁରୀ ଭଳି ଛଣା ଖାଦ୍ୟରୁ ବି ଦୂରେଇ ରହନ୍ତୁ । ଏସବୁ ଖାଦ୍ୟ ଖାଇବା ଦ୍ବାରା ଅସ୍ୱାସ୍ଥ୍ୟକର ଫ୍ୟାଟ୍ ବୃଦ୍ଧିପାଏ । ଛେନା, ଦହି ଭଳି କୃତ୍ରିମ ବା ଅଧିକ ପ୍ରକ୍ରିୟାକୃତ ଦୁଗ୍ଧଜାତ ସାମଗ୍ରୀ ସେବନ ମଧ୍ୟ କମ୍ କରନ୍ତୁ ।