ହାଡ ଠିକ ରହିବା କାହିଁକି ଗୁରୁତ୍ବପୂର୍ଣ୍ଣ ?
କାରଣ ହାଡଗୁଡିକ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗର ସୁପରିଚାଳନା କରନ୍ତି । ଆହତ ହେବାରୁ ସେମାନଙ୍କୁ ରକ୍ଷା କରନ୍ତି । ଥରେ ବୋନ ଡେନସିଟି ହରାଇ ବସିଲେ ବୟସାଧିକ୍ୟ ଅବସ୍ଥାରେ ତାହା ଫେରି ପାଇବା କଷ୍ଟକର । ତେଣୁ ଆମର ଅଭିବୃଦ୍ଧି ଅବସ୍ଥାରୁ ହିଁ ହାଡକୁ ସୁସ୍ଥସବଳ ରଖିବା ଅତି ଜରୁରୀ । ବୟସ ବୃଦ୍ଧି, ସଠିକ ଆହାର ଓ ବ୍ୟାୟାମର ଅଭାବ ଏବଂ ନିର୍ଦ୍ଦିଷ୍ଟ କିଛି ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ହାଡ ଦୁର୍ବଳ ହେବାର ସମ୍ଭାବନା ଥାଏ । ହାଡ ଦୁର୍ବଳ ହୋଇଗଲେ ହାଡ ସମ୍ପର୍କିତ ଇଞ୍ଜୁରୀ ଓ ଅହରହ ଯନ୍ତ୍ରଣା ଜାତ ହୋଇଥାଏ । ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳନ କରାଯାଏ ବିଶ୍ବ ଅଷ୍ଟିଓପୋରୋସିସ ଦିବସ । ହାଡ ସଂପର୍କିତ ରୋଗର ଚିହ୍ନଟ, ଚିକିତ୍ସା ଓ ପ୍ରତିକାର ସଂପର୍କରେ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ବିଶ୍ବରେ ଓଷ୍ଟିଓପୋରୋସିସ ଓ ଫ୍ରାକଚର ପ୍ରତିକାରକୁ ସ୍ବାସ୍ଥ୍ୟ ପ୍ରାଥମିକତା ଭାବେ ଗ୍ରହଣ କରିବା ହେଉଛି ବିଶ୍ବ ଓଷ୍ଟିଓପୋରୋସିସ ଦିବସର ଉଦ୍ଦେଶ୍ୟ । ଏଥିପାଇଁ ପେଷାଦାର ସ୍ବାସ୍ଥ୍ୟ କର୍ମୀ, ମିଡିଆ , ନୀତି ପ୍ରଣୟନକାରୀ, ରୋଗୀ ଓ ସାଧାରଣ ଜନତାଙ୍କୁ ସଚେତନତା ଅଭିଯାନରେ ସାମିଲ କରାଇବା ମଧ୍ୟ ଏହି ଦିବସର ମୂଳମନ୍ତ୍ର ।
କେତେ ସାଧାରଣ ଓଷ୍ଟିଓପୋରୋସିସ ?
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଓଷ୍ଟିଓପୋରୋସିସ , ହୃଦ ରୋଗ ପରେ ବିଶ୍ବର ଦ୍ବିତୀୟ ବଡ ସ୍ବାସ୍ଥ୍ୟ ସମସ୍ୟା । ଭାରତରେ ଓଷ୍ଟିଓପୋରୋସିସ ଦ୍ବାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ବୋଲି ହିସାବ କରାଯାଇଛି । ପରିସଂଖ୍ୟନ ଅନୁସାରେ ବର୍ତ୍ତମାନ ଆମ ଦେଶରେ ପାଖାପାଖି ୩ କୋଟି ଲୋକ ଓଷ୍ଟିଓପୋରୋସିସ ରୋଗରେ ପୀଡିତ । ଏହି ରୋଗ ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କ ଠାରେ ଅଧିକ ଦେଖାଯାଏ । ଭାରତରେ ପ୍ରତି ୮ ଜଣ ପୁରୁଷଙ୍କ ମଧରେ ଜଣେ ଓ ପ୍ରତି ତିନି ଜଣ ମହିଳାଙ୍କ ମଧରେ ଜଣେ ଓଷ୍ଟିଓପୋରୋସିସରେ ଆକ୍ରାନ୍ତ ବୋଲି ଏକ ପରିସଂଖ୍ୟନରୁ ଜଣାପଡିଛି । ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ୍କ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପୂର୍ବରୁ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଉଥିଲା । ଏବେ କିନ୍ତୁ ୩୦ ବର୍ଷ ବା କମ ବୟସ୍କଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଯାଉଛି ।
ଓଷ୍ଟିଓପୋରୋସିସ କ'ଣ ?
ନ୍ୟାସନାଲ ଓଷ୍ଟିଓପୋରୋସିସ ଫାଉଣ୍ଡେସନ ଅନୁସାରେ ଏହା ହେଉଛି ଏକ ହାଡ ଦୁର୍ବଳଜନିତ ରୋଗ । ଶରୀରରେ ହାଡ ସଂଖ୍ୟା କମିଲେ ବା କମ ସଂଖ୍ୟକ ହାଡ ହେଉଥିଲେ ଏହି ରୋଗ ହୋଇଥାଏ । ଏହି ରୋଗ ହେଲେ ହାଡ ଭାରି ଦୁର୍ବଳ ହୋଇଯାଏ । ଗୁରୁତର ମାମଲାରେ ହାଡ ଭାଙ୍ଗିଯାଏ । ଏଭଳି ସ୍ଥିତିରେ ଛିଙ୍କିଲେ ବା ସାମାନ୍ୟ ଭାବେ ଝୁଣ୍ଟିଲେ ବି ହାଡ ଭାଙ୍ଗିଯାଏ । ଓଷ୍ଟିଓପୋରୋସିସର ଅର୍ଥ ହେଉଛି ‘ପୋରୋସ ବୋନ’ ବା ସ୍ପର୍ଶକାତର ହାଡ । ମାଇକ୍ରୋସ୍କୋପ ଦ୍ୱାରା ଦେଖିଲେ ଏକ ସୁସ୍ଥ ହାଡ ହନିକଂବ ଭଳି ଦିଶେ । ଓଷ୍ଟିଓପୋରୋସିସ ହେଲେ ହନିକଂବରେ ଛିଦ୍ର ଓ ଖାଲି ସ୍ଥାନ ସୁସ୍ଥ ହାଡ ଅପେକ୍ଷା ଆହୁରି ବଡ ହୋଇଯାଏ । ଓଷ୍ଟିଓପ୍ରୋଟିକ ବୋନ ଗୁଡିକ ଘନତ୍ବ ହରାଇବା ସହ ଏକ ଅସ୍ବାଭାବିକ ଟିସୁ ଢାଞ୍ଚା ସୃଷ୍ଟି ହୋଇଥାଏ । ହାଡଗୁଡିକ କମ ଘନତ୍ବ ସଂପନ୍ନ ହେଲେ ଦୁର୍ବଳ ହୋଇଯାଆନ୍ତି । ତେଣୁ ସେଗୁଡିକ ଭାଙ୍ଗିବା ସ୍ଥିତିକୁ ଆସିଯାଇଥାନ୍ତି । ଆପଣ ଯଦି ୫୦ ବର୍ଷରୁ ଅଧିକ ବୟସ୍କ,ତାହା ହେଲେ ବୋନ ଡେନସିଟି ଟେଷ୍ଟ କରିବା ଦରକାର । ଓଷ୍ଟିଓପୋରୋସିସର କାରଣ ଯଦି ଶରୀରରେ ଆବଶ୍ୟକ ନ୍ୟୁଟ୍ରିଏଂଟ – କ୍ୟାଲସିୟମ, ମ୍ୟାଗ୍ନେଜିୟମ, ଭିଡାମିନ ଡି ଓ ମିନେରାଲର ଅଭାବ ରହେ, ତାହା ହେଲେ ହାଡ ଦୁର୍ବଳ ହୋଇଯାଏ । ଏସବୁ ମଜବୁତ ହାଡ ପାଇଁ ନିତାନ୍ତ ଜରୁରୀ । ଏହାଛଡା ଓଷ୍ଟିଓପୋରୋସିସର ଆହୁରି ଅନେକ କାରଣ ରହିଛି । ତାହା ହେଲା –
୧. ଖାମଖିଆଲି ଜୀବନଶୈଳୀ
୨. ଅସ୍ବାସ୍ଥ୍ୟକର ଖାଇବା ଅଭ୍ୟାସ
୩. ନିୟମିତ ବ୍ୟାୟାମର ଅଭାବ
୪. ଧୂମ୍ରପାନ ଓ ନିଶାଦ୍ରବ୍ୟ ସେବନ
୫. ଅପମିଶ୍ରିତ ଖାଦ୍ୟ ଓ କମ ବୟସରୁ ମଧୁମେହ
ଓଷ୍ଟିଓପୋରୋସିସର ଲକ୍ଷଣ
ରୋଗର ପ୍ରାରମ୍ଭିକ ଅବସ୍ଥାରେ ରୋଗୀଠାରେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଅଣ୍ଟା, ସ୍ପାଇନାଲ ଓ ମଣିବନ୍ଧରେ ଯନ୍ତ୍ରଣା ଆରମ୍ଭ ହେଲେ ହିଁ ଏହି ରୋଗ ବାବଦରେ ଜଣାପଡେ। ହାଡଗୁଡିକ ଦୁର୍ବଳ ହେବା ଆରମ୍ଭ ହୁଏ ଓ ଭାଙ୍ଗିଯାଏ । ନିର୍ଦ୍ଦିଷ୍ଟ କିଛି ଲକ୍ଷଣ ଆଧାରରେ
ଓଷ୍ଟିଓପୋରୋସିସ ଚିହ୍ନଟ କରିହେବ ।
. ଓଷ୍ଟିଓପୋରୋସିସରେ ମାଢି ହାଲୁକା ହୋଇଯାଏ । ଦାନ୍ତ ଦୁର୍ବଳ ହୋଇଯାଏ । ଥୋବଡା ହାଡର ଘନତ୍ବ ହ୍ରାସ ପାଏ ।
. ଡାକ୍ତରଙ୍କ କହିବାନୁସାରେ ଏହି ରୋଗରେ ହାଡ ଓ ହାତର ମାଂସପେଶୀ ଦୁର୍ବଳ ହୋଇଯାଏ । ଫଳରେ କୌଣସି ଜିନିଷ ଜଣେ ଠିକ୍ ଭାବେ ଧରିପାରେ ନାହିଁ କି ଉଠାଇ ପାରେ ନାହିଁ ।
. ନଖର ଦୁର୍ବଳତା ଦେଖି ହାଡର ଡେନସିଟି ବା ଘନତ୍ବ ଚିହ୍ନଟ କରାଯାଇପାରିବ ।
. ମେରୁଦଣ୍ଡ ସଙ୍କୁଚିତ ହେଲେ ଆପଣଙ୍କ ଉଚ୍ଚତା ସାମାନ୍ୟ ହ୍ରାସ ହୁଏ । ଉଚ୍ଚତା ସାମାନ୍ୟ ହ୍ରାସ ହେଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର।
. ଦୁର୍ବଳ ହାଡ ଯୋଗୁଁ ଫ୍ରାକଚର ସୃଷ୍ଟି ହେବା ହେଉଛି ଓଷ୍ଟିଓପୋରୋସିସର ବଡ ଲକ୍ଷଣ ।
ମଜବୁତ ହାଡ ପାଇଁ ଆହାର
ଆମେ ଯେତେବେଳ ସୁସ୍ଥ ଓ ଶକ୍ତିଶାଳୀ ହାଡ କଥା କହୁ, ସେତେବେଳେ ପ୍ରଥମେ କ୍ୟାଲସିୟମ କଥା ମନକୁ ଆସେ । କ୍ୟାଲସିୟମ ଶକ୍ତିଶାଳୀ ହାଡ ପାଇଁ ଜରୁରୀ । ତେବେ କ୍ୟାଲସିୟମ ସହ ଅନ୍ୟ କିଛି ଖାଦ୍ୟ ଓ ଭିଟାମିନ ବି ଜରୁରୀ । ନ୍ୟାସନାଲ ହେଲଥ ସର୍ଭିସ-ଏନଏଚଏସ ମଜବୁତ ହାଡ ପାଇଁ ନିର୍ଦ୍ଦିଷ୍ଟ ଖାଦ୍ୟପେୟ ଓ ଆହାର ସୁପାରିଶ କରିଛି । ଏସବୁରୁ ବହୁ ପରିମାଣରେ କ୍ୟାଲସିୟମ ସହ ଭିଟାମିନ ଡି ବି ମିଳିପାରିବ ।
କ୍ୟାଲସିୟମ
. କ୍ଷୀର, ପନୀର ଓ ଅନ୍ୟ ଦୁଗ୍ଧଜାତ ଖାଦ୍ୟ
. ବ୍ରୋକଲି , ବନ୍ଧାକୋବି ଓ ଭେଂଡି ଭଳି ସବୁଜ ପତ୍ରଳିଆ ପନିପରିବା
. ସୋୟା ବିନ
. ଟୋଫୁ
. କ୍ୟାଲସିୟମ ଯୁକ୍ତ ସୋୟା ପାନୀୟ
. ବାଦାମ
.ରୁଟି ଓ ଫୋର୍ଟିଫାଇଡ ଅଟା ଦ୍ବାରା ପ୍ରସ୍ତୁତ ଯେକୌଣସି ଖାଦ୍ୟ
. ହାଡ ଖାଇହେଉଥିବା ଭଳି ମାଛ
ଭିଟାମିନ ଡି
.ତୈଳାକ୍ତ ମାଛ
. ଅଣ୍ଡା
. ଫୋର୍ଟିଫାଇଡ ଫ୍ୟାଟ ସ୍ପ୍ରେଡସ
. ଫୋର୍ଟିଫାଇଡ ବ୍ରେକଫାଷ୍ଟ ସେରେଲ୍ସ
. କିଛି ଗୁଣ୍ଡ ଦୁଗ୍ଧ, ଓଟ୍ସ, ଅରେଞ୍ଜ ଜୁସ, ଛତୁ